ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ନିମନ୍ତେ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ପୌରପରିଷଦକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ଏକ ବୈଠକ ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପାରଳାଖେମୁଣ୍ଡି ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ଏବଂ ସମସ୍ତ ୱାର୍ଡ଼ର କାଉନ୍ସିଲର୍ ଯୋଗ ଦେଇଥିଲେ । ଉପସ୍ଥିତ ସମସ୍ତଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଆନୁଷ୍ଠାନିକ ଭାବେ ସ୍ବାଗତ କରିଥିବା ବେଳେ ଆକ୍ସନ-ଏଡ଼୍ ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ ମେହେର ବାଲ୍ୟବିବାହ ମୁକ୍ତ ୱାର୍ଡ ଘୋଷଣା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଚଳିତ ଫେବୃୟାରୀ ମାସ ୧୮ ତାରିଖ ସୁଦ୍ଧା ପୌରପରିଷଦକୁ କିପରି ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯିବାରେ କାଉନସିଲର୍, ଅଙ୍ଗନୱାଡ଼ି କର୍ମି ଏବଂ ସ୍ବଚ୍ଚସାଥି ମାନଙ୍କର କଣ ଭୁମିକା ଅଛି ତାହାରି ଉପରେ ଆଲୋଚନା କରିବା ସହ ବାଲ୍ୟବିବାହର କୁପ୍ରଭାବ ଉପରେ ଆଲୋଚନା ରଖିଥିଲେ। ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ ମହୋଦୟା ଯୋଗଦେଇ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ପୌରପାଳିକାକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରିବାରେ ସମସ୍ତ ସହଯୋଗ ପୌରପରିଷଦ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରିଣୀ, ଗୋଷାଣି ଶ୍ରୀମତି ଗୌରୀ ନାୟକ, ଗୋଷ୍ଠି ସଂଗଠକ, ସିଟି ମିଶନ୍ ପରିଚାଳକ ଶ୍ରୀଯୁକ୍ତ ନକୁଳ ବିଷୋୟି, ସମସ୍ତ ସ୍ବଚ୍ଛସାଥି, ଅଙ୍ଗନୱାଡି କର୍ମି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୁପାୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।


