ପାରଳାରେ ଚଢାଦରରେ ବିଦେଶୀମଦ ବିକ୍ରି ହେଉଥିବା ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମାରେ ଗୋଟିଏ ପଟେ ବେଧଡକ ମଦ କାରବାର ଚାଲୁ ରହିଥିବା ବେଳେ ଅନ୍ୟପଟେ ଥିବା ବିଦେଶୀ ମଦ ଦୋକାନୀ ମାନେ ଚଢାଦରରେ ମଦ ବିକ୍ରି କରୁଥିବାର ଅଭିଯୋଗ ହୋଇଛି । ସହର ସମସ୍ତ ୧୬ଗୋଟି ୱାର୍ଡରେ ପ୍ରାୟ ୧୬ ବିଦେଶୀ ମଦ ଦୋକାନ ତଥା ବାର ଆଣ୍ଡ ରେଷ୍ଟୁରାଣ୍ଟ ରହିଥିଲେ ମଧ୍ୟ ଅବାଧ ତଥା ଚୋରାରେ ବିକ୍ରି ହେଉଥିବାର ବହୁ ନଜିର ରହିଛି । ସେହିପରି ପ୍ରାୟ ୫ରୁ ଉର୍ଦ୍ଧ ସରକାରୀ ଦେଶୀମଦ ଦୋକାନ ରହିଥିବା ବେଳେ ବିନା ଲାଇସେନ୍ସ ପ୍ରାପ୍ତ ଦେଶୀମଦ ବହୁମାତ୍ରାରେ ବିକ୍ରି ହେଉଥିବାର ମଧ୍ୟ ନଜିର ରହିଛି । ହେଲେ ବିଦେଶୀ ମଦ ଦୋକାନ ଗୁଡିକ ସରକାରୀ ଧାର୍ଯ୍ୟ ତଥା ମୁଦ୍ରଣ ଟଙ୍କା ଠାରୁ ୩୦ରୁ ୪୦ଟଙ୍କା ଅଧିକା ଦରରେ ବିକ୍ରି କରିଚାଲିଥିବାର ଅଭିଯୋଗ ହୋଇଛି । ସେହିପରି ସହରରେ ଥିବା ବାର ଆଣ୍ଡ ରେଷ୍ଟୁରାଣ୍ଟ ଗୁଡିକ ମନଇଚ୍ଛା କାରବାର କରୁ ଥିବାର ମଧ୍ୟ ଅଭିଯୋଗହୋଇଛି । ବାର ଗୁଡିକ ସରକାରୀ ନିୟମାବଳୀର ଖିଲାପ କରି ଭେଜାଲ ଖାଦ୍ୟସାମଗ୍ରୀ ଦେଉଥିବା, ବସିବାପାଇଁ ବ୍ୟବସ୍ଥା ନଥିବା, ଚଢା ଦରରେ ଟଙ୍କା ନେଉଥିବା ଭଳି ଅଭିଯୋଗ ରହିଛି । ସେହିପରି ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗୁଡିକ ଖୁଲମଖୁଲା ଭାବେ ସ୍ଥାନ ଦେଇ ମଦ ପିଇବା ବନ୍ଦୋବସ୍ତ କରୁଥିବାର ଲକ୍ଷ୍ୟ କରାଯାଇଛି । ଯାହାକି ସରକାରୀ ନିର୍ଦ୍ଦେଶାବଳୀକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଚାଲିଛନ୍ତି । ଏପରି ଖୁଲମ ଖୁଲା ମଦ ବିକ୍ରି କରୁଥିବାରୁ ମଦୁଆମାନଙ୍କ ଦୈରାତ୍ମ୍ୟ ବୃଦ୍ଧି ପାଉଛି । କେତେକ ଠିପି ବନ୍ଦ ସରକାରୀ ମଦ ଦୋକାନ ଗୁଡିକ ଦୋକାନ ଭିତରେ ମଦ ପିଇବା ପାଇଁ ସମସ୍ତ ବ୍ୟବସ୍ଥା କରୁଥିବା ବେଳେ ଅନ୍ୟକେତେକ ମଦ ଦୋକାନୀ ମାନେ ଦୋକାନ ସାମନାରେ ପିଇବାପାଇଁ ବ୍ୟବସ୍ଥା କରୁଥିବାରୁ ବହୁ ବିଭ୍ରାଟ ଦେଖାଦେଉଛି । ଗୋଟିଏ ପଟେ ଚଢା ଦର ଅନ୍ୟପଟେ ସମସ୍ତ ସରକାରୀ ନିର୍ଦ୍ଦେଶାବଳୀକୁ ଜଞ୍ଜାଳ ଦେଇ ଖୁଲମ ଖୁଲା ମଦ ବିକ୍ରି, ଅନ୍ୟପଟେ ମଦୁଆଙ୍କ ଉତ୍ପାତରେ ସହରବାସୀ ଅତିଷ୍ଟ ହୋଇ ପଡିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନିଘୋଡ ନିଦ୍ରାରେ ରହିଥିବା ଭଳି ଜଣାପଡୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ଉକ୍ତ ସମସ୍ୟା ଗୁଡିକର ତୁରନ୍ତ ପ୍ରତିକାର ପାଇଁ ଦାବି ହୋଇଛି । ଏନେଇ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କୁ ପଚରା ଯିବାରେ କହିଛନ୍ତି ଯେ, ସହରରରେ ୮ଗୋଟି ଠିପି ବନ୍ଦ ବିଦେଶୀ ମଦ ଦୋକାନା ଏବଂ ୮ଗୋଟି ବାର ଆଣ୍ଡରେଷ୍ଟୁରାଣ୍ଟ ରହିଛି । ବାରରେ ଠିପି ଖୋଲା ମଦ ବିକ୍ରି କରିପାରିବା ପାଇଁ ନିର୍ଦ୍ଦେଶ ରହିଛି । ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ମଦ୍ୟପାନ ବେଆଇନ ଅଟେ କିନ୍ତୁ ଆମ୍ଭ ପାଖରେ କୌଣସି ଅଭିଯୋଗ ନାହିଁ । ଏହା ଛଡା ଚଢା ଦରରେ ମଦ ବିକ୍ରି ହେଉଥିବାର ମଧ୍ୟ କୌଣସି ଅଭିଯୋଗ ଆସିନାହିଁ । ଯଦି ଅଭିଯୋଗ ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ