ପାରଳାରେ ଚୋରୀ ଲକ୍ଷାଧିକ ନଗଦ ଟଙ୍କା ସହ ସୁନା ଲୁଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ପୁରୁଣାପାଟଣା ରୋଡର ପେଟ୍ରୋଲ ପମ୍ପ ନିକଟବର୍ତ୍ତୀ ଯୋଶଦା ନଗର ସ୍ଥିତ ଏକ ବେସରକାରୀ ବାସଭବନରୁ ଚୋରି ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଯୋଶଦା ନଗର ବାସିନ୍ଦା ଦଣ୍ଡପାଣି ପାଢୀ ଏବଂ ତାଙ୍କ ପରିବାର ଗତ ୨୧ ତାରିଖ ସନ୍ଧ୍ୟାରେ ଆର୍.ଉଦୟଗିରିକୁ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ସେମାନେ ଫେରିବାପରେ ନିଜ ବାସ ଭବନରେ ଗୋଟିଏ ତାଲା ଭଙ୍ଗାଯାଇ ଦୁର୍ବୃତ୍ତ ମାନଙ୍କ ଦ୍ୱାରା ଚୋରୀ ହୋଇଥିବାର ଦେଖିବାକୁ ପାଇଥିଲେ । ସେମାନେ ପୋଲିସକୁ ଦେଇଥିବା ଏତଲା ଅନୁଯାୟୀ ତାଙ୍କ ଘରୁ ପ୍ରାୟ ଏକ ଲକ୍ଷ ପଚାଶ ହଜାର ନଗଦ ଟଙ୍କା ଓ ଦୁଇ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରୀ ହୋଇଥିବାର ଅଭିଯୋଗ କରିଛନ୍ତି । ଘଟଣାର ଲିଖିତ ଅଭିଯୋଗ ହେବାପରେ ଯୋଶଦା ନଗର ନିକଟରେ ଥିବା ପେଟ୍ରୋଲ ପମ୍ପ ସିସି କ୍ୟାମେରା ସହାୟତାରେ ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରୀ ରହିଥିବା ଏବଂ ଏହି ଘଟଣାର ତଦନ୍ତଭାର ଏସ୍.ଆଇ. ବିଶ୍ୱଜିତ ଜେନା ନେଇଥିବାର ଜଣାପଡିଛି । ଘଟଣାକୁ ନେଇ ଆଦର୍ଶ ଥାନାରେ ୪୪/୨୧ ଏକ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଜଣାଇଛନ୍ତି ।