ପାରଳାରେ ଦ୍ବିତୀୟ ଲୋକ ଅଦାଲତ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ଦ୍ବିତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଜିଲ୍ଲା ତଥା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭନ୍ନ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପ୍ରାଧିକରଣ ସଚିବ ରବି ନାରାୟଣ ବେହେରା ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ପ୍ରକାରର ବିଚାରାଧୀନ ଥିବା ମାମଲାରେ ତ୍ବରିତ ବିଚାର ପାଇଁ ପଦକ୍ଷେପ ସ୍ବରୂପ କୋର୍ଟ ବେଞ୍ଚମାନ ପ୍ରତିଷ୍ଠା କରାଯାଇଥିଲା । ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ସୁବ୍ରତ ମହାନ୍ତି, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଦୀପ କୁମାର ସାମଲ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ନରୋତ୍ତମ ସେଠୀ, ସବଜଜ୍ ସନ୍ତୋଷ କୁମାର ଅଗ୍ରୱାଲ, ଉପଖଣ୍ଡୀୟ ବିଚାର ବିଭାଗ ଅଧିକାରିଣୀ ବିଷ୍ଣୁପ୍ରିୟା ସାମନ୍ତରାୟ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁବାଶିଷ ପାଣି ପ୍ରମୁଖ ଉପସ୍ଥିତ ରହି ନିଜନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ଭାବେ ରା.ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସବଜଜ୍ ପୁଣ୍ୟଶ୍ଳୋକ ରଥ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ତରୁଣ କୁମାର ସେଠୀ, ମୋହନା କୋର୍ଟ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ଶୁଭଜିତ ବେହେରା ଓ କାଶୀନଗର ଗ୍ରାମ୍ୟ ନ୍ୟାୟଳୟର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଧିକାରିଣୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ |ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କର ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ। ଆୟୋଜିତ ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ଓକିଲ ସଂଘ ସଭାପତି ସଭ୍ୟ ଓ ସମ୍ପାଦକଙ୍କ ସମେତ ସମସ୍ତ ବରିଷ୍ଠ ଆଇନଜୀବୀ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜନିତ ମକଦ୍ଦମାରେ ସହଯୋଗ ପ୍ରଦାନ କରିଥିଲେ। ସମୁଦାୟ ୨୦୯୪ଟି କେସକୁ ବିଚାରକୁ ନିଆଯାଇ ୧୫୫୮ଟି ମାମଲାର ତ୍ବରିତ ସମାଧାନ କରା ଯାଇଥିଲା ।