ପାରଳାରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଧର୍ମ ରକ୍ଷା ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ବିଶ୍ୱହିନ୍ଦୁପରିଷଦ, ବଜରଙ୍ଗ ଦଳ ଓ ସର୍ବଭାରତୀୟ ଧର୍ମ ପ୍ରସାର ବିଭାଗ ଡାକରାକ୍ରମେ ଆଜି ଗଜପତି ଜିଲ୍ଲାର ସଦର ମହକୁମାରେ ଧର୍ମ ରକ୍ଷା ଦିବସ ପାଳିତ ହୋଇଯାଇଛି । ଏ ନେଇ ବିଶ୍ୱହିନ୍ଦୁ ପରିଷଦ ଏବଂ ସାଧୁ ସନ୍ଥ ମାନଙ୍କ ଏକ ରାଲି ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ଠାରୁ ବାହାରି ପାରଳା ସହର ପରିକ୍ରମା କରିଥିଲେ । ଏହି ପରିକ୍ରମା ସମୟରେ ସାଧୁ ସନ୍ଥମାନେ ହିନ୍ଦୁ ଧର୍ମ ରକ୍ଷା ଏବଂ ସାଧୁ ସନ୍ଥଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ହିନ୍ଦୁ ଧର୍ମ ପରିବର୍ତ୍ତନ ନ କରିବା ଏବଂ ଯେଉଁମାନେ ଅନ୍ୟ ଧର୍ମକୁ ଅବଲମ୍ବନ କରିଛନ୍ତି ସେମାନେ ପୁଣି ହିନ୍ଦୁ ଧର୍ମକୁ ଫେରି ଆସିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ରାଲିଟି ପାରଳାଖେମୁଣ୍ଡି ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପହଂଚିବା ପରେ ସେଠାରେ ବିଶ୍ୱହିନ୍ଦୁ ପରିଷଦ ଏବଂ ସାଧୁ ସନ୍ଥମାନଙ୍କୁ ନେଇ ଧର୍ମସଭାର ଆୟୋଜନ ହୋଇଥିଲା । ଏଥିରେ ମହନ୍ତ ମହାରାଜ ସର୍ବଶ୍ରୀ ସୀତାରାମ ଦାସ, ରାମାନନ୍ଦ ଦାସ, ନିଗମାନନ୍ଦଜୀ, ମହେନ୍ଦ୍ର ଆଶ୍ରମର ମୁଖ୍ୟ ଲକ୍ଷ୍ମୀବାବା ପ୍ରମୁଖଙ୍କ ସହ ବହୁ ସାଧୁ ସନ୍ଥ ଏବଂ ବିଶ୍ୱ ହିନ୍ଦୁ ପରିଷଦର ସଭାପତି କୌଳାସ ଗୌଡ, ପ୍ରାନ୍ତିୟ କାର୍ଯ୍ୟକର୍ତ୍ତା ତରଣୀସେନ ଦାସ, ଜିଲ୍ଲା କୋଷାଧ୍ୟକ୍ଷ ହରିମୋହନ ପଟ୍ଟନାୟକ, ଆର୍ଏସ୍ଏସ୍ର ଜିଲ୍ଲା ପ୍ରମୁଖ ଅନାଦି ପାଣିଗ୍ରାହୀ, ବିଶ୍ୱହିନ୍ଦୁ ପରିଷଦର ଉପସଭାପତି ଆଶାଲତା ପାଣିଗ୍ରାହୀ, ଜିଲ୍ଲା ବଜରଙ୍ଗ ଦଳର ଲୋକନାଥ ମିଶ୍ର, ସତ୍ୟନାରାୟଣ କାର୍ଯୀ ପ୍ରମୁଖ ଯୋଗ ଦେଇ କହିଥିଲେ ଯେ, ବିଗତ ୧୯୨୬ ମସିହା ଡିସେମ୍ବର ୨୩ ତାରିଖ ଦିନ ଆର୍ଯ୍ୟ ସମାଜର ପୂଜ୍ୟ ସନ୍ଥ ସ୍ୱାମୀ ସଦାନନ୍ଦଜୀ ମହାରାଜ ହିନ୍ଦୁଧର୍ମର ସୁରକ୍ଷା ପାଇଁ ବହୁ କାର୍ଯ୍ୟକ୍ରମ ଚଳାଇଥିବା ଯୋଗୁଁ ଦିଲ୍ଲୀରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ସେ ଜଣେ ସ୍ୱାଧିନତା ସଂଗ୍ରାମୀ, ମହାତ୍ମାଗାନ୍ଧୀଙ୍କ ସହଯୋଗୀ ଏବଂ ହିନ୍ଦୁଧର୍ମାନ୍ତିକରଣ ହୋଇଥିବାରୁ ଲକ୍ଷ ଲକ୍ଷ ଲୋକଙ୍କୁ ପୁଣି ଆଣିଥିଲେ । ଏପରି ଜଣେ ମହାନ ବ୍ୟକ୍ତିିଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ପ୍ରତିବାଦରେ ଏହି ଧର୍ମ ରକ୍ଷା ଦିବସ ପ୍ରତ୍ୟେକ ବର୍ଷ ଡିସେମ୍ବର ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ପାଳିତ ହୋଇ ଆସୁଛି । ହିନ୍ଦୁ ଧର୍ମର ସୁରକ୍ଷା, ଧର୍ମାନ୍ତିକରଣର ବିଲୋପ ଆଦି ପାଇଁ ପ୍ରତ୍ୟେକେ ଶପଥ ଗ୍ରହଣ କରି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।


