ପାରଳାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେଲା ସିଟିସ୍କାନ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହୋଇଛି ସିଟିସ୍କାନ୍ ବ୍ୟବସ୍ଥା | ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍ ୟୁନିଟ୍, ନିଓନାଟାଲ କେୟାର୍ ସେଣ୍ଟର୍, ଟ୍ରମାକେୟାର୍, ଇସିଜି ଏବଂ ଡିଜିଟାଲ୍ ଏକ୍ସରେ ଭଳି ସୁବିଧା କାର୍ଯ୍ୟକାରୀ ହୋଇଥିବା ବେଳେ ଏବେ ସିଟିସ୍କାନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ସ୍ଥାନୀୟ ଅଞ୍ଚଳର ରୋଗୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି। ସ୍ଥାନୀୟ ରୋଗୀ ସିଟିସ୍କାନ୍ ପାଇଁ ପାରଳାଖେମୁଣ୍ଡି ବାହାରେ ବିଶେଷ କରି ବ୍ରହ୍ମପୁର, ଶ୍ରୀକାକୁଲମ ଏବଂ ବିଶାଖାପାଟଣାର ବେସରକାରୀ ଡାକ୍ତରଖାନା ଉପରେ ନିର୍ଭରଶୀଳ ହେଉଥିଲେ | ତେବେ ୫-ଟି ମାଧ୍ୟମରେ ଡାକ୍ତରଖାନାର ଅନେକ ଉନ୍ନତୀକରଣ ସହ ବହୁ ଆଧୁନିକ ଯନ୍ତ୍ରପାତି କାର୍ଯ୍ୟକାରୀ କରାଯାଇଥିବାରୁ ଗରିବ ରୋଗୀ ଆର୍ଥିକ ଭାରରୁ ଏକପ୍ରକାର ମୁକ୍ତି ପାଇଛନ୍ତି। କିନ୍ତୁ ଯନ୍ତ୍ରପାତି ଗୁଡ଼ିକ ନିୟମିତ ଠିକ୍ ଭାବେ ପରିଚାଳନା ନହେଲେ ଏସବୁ ସୁବିଧା ଦୀର୍ଘସ୍ଥାୟୀନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଚିନ୍ତାପ୍ରକଟ କରିଛନ୍ତି। ୨୦୨୨-୨୩ ପରଠାରୁ ଡାକ୍ତରଖାନାରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତି ଗୁଡ଼ିକୁ ଚଳାଇବା ପାଇଁ ସୀମିତ କର୍ମଚାରୀଙ୍କୁ ଆଉଟସୋସିଂ ମାଧ୍ୟମରେ ନିଯୁକ୍ତି ଦିଆଯାଇଥିବା ଯୋଗୁଁ ଶୃଙ୍ଖଳିତ ଭାବେ ଏ ଗୁଡ଼ିକ ଠିକ୍ ପରିଚାଳନା ହୋଇ ପାରୁନାହିଁ। ତେଣୁ ଏହାକୁ ଠିକ ଭାବେ ପରିଚାଳନା ସହ ଉପଯୁକ୍ତ ବିନିଯୋଗ କରିବା ପାଇଁ ଦାବି ହୋଇଛି।