ପାରଳା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହାୟତା ପାଇଁ ଭକ୍ତଙ୍କ ସୁଅ ଛୁଟିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମହକୁମା ଠାରେ ଚାଲିଥିବା ନୂତନ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ସହଯୋଗର ହାତବଢାଉଛନ୍ତି ଭକ୍ତ । ଗତ କିଛି ଦିନ ପୂର୍ବେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ମନମୋହନ ରାଜଗୁରୁ ୧ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ବର୍ତ୍ତମାନ ଶିକ୍ଷକ ସୁରେଶ ସାହୁକାର, ଭୁବନେଶ୍ୱର ପଲାଇ ପ୍ରମୁଖ ସହାୟତାର ହାତ ବଢାଇଛନ୍ତି । ଶିକ୍ଷକ ସୁରେଶ ସାହୁକାରଙ୍କ ପରିବାର ତରଫରୁ ୧ଲକ୍ଷ ଟଙ୍କା ସହ ୧୦୦ବସ୍ତା ସିମେଣ୍ଟ ପ୍ରଦାନ କରାଯାଇଛି । ସେହିଭଳି ଭୁବନେଶ୍ୱର ପଲାଇ ତାଙ୍କ ବାପାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୫୦ହଜାର ଟଙ୍କା ପ୍ରଦାନ କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଯୁବ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀ ନୂତନ ମନ୍ଦିର ନିର୍ମାଣ ପାଇଁ ଆଗେଇ ଆସି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ଜଣ ଜଣ କରି ଶ୍ରଦ୍ଧାଳୁ ବା ଭକ୍ତ ମାନେ ସହଯୋଗ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପାରଳା ଜନସାଧାରଣ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଆଗେଇ ନେବାପାଇଁ ଦାନ କରୁଛନ୍ତି । ଏବେ ମନ୍ଦିର କାର୍ଯ୍ୟ ନିର୍ମାଣ ପାଇଁ ସହାୟତାର ସୁଅ ଛୁଟୁଥିବାର ଲକ୍ଷ୍ୟ କରାଯାଉଛି । ଏହି ଟଙ୍କା ଗୁଡିକୁ ବର୍ତ୍ତମାନ କାର୍ଯ୍ୟରେ ନିୟୋଜିତ କ୍ରେନ ଭଡା, ଟ୍ରଲର ଭଡା ଓ ପଥର କଟାଯିବା ଆଦି ସହ କାମରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ପାଇଁ ଖର୍ଚ୍ଚ କରାଯାଉଥିବାର ଜଣାପଡିଛି । । ଏପରି ଦାନ କରୁଥିବା ବ୍ୟକ୍ତିବିଶେଷଙ୍କ ବଦାନ୍ୟତାକୁ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ତରଫରୁ ଭକ୍ତ ତଥା ଯୁବ ସମାଜସେବୀ ଦୁର୍ଗାମାଧବ ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା, ଯନ୍ତ୍ରୀ ତ୍ରିପତି ପାତ୍ର, ହରପ୍ରସାଦ ପାଢୀ ପ୍ରମୁଖ ସାଧୁବାଦ ଜଣାଇଛନ୍ତି ।