ପାରଳା ପୌରପରିଷଦ ପକ୍ଷରୁ ୫ଶହ ଶଯ୍ୟା ବିଶିଷ୍ଟ ୫ଟି କ୍ୱାରାଣ୍ଟାଇନ୍ ପ୍ରସ୍ତୁତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜଡପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପୌରପରିଷଦ ତରଫରୁ ୫ଶହ ଶଯ୍ୟା ବିଶିଷ୍ଟ ୫ଗୋଟି କ୍ୱାରାଣ୍ଟାଇନ୍ ତଥା ସଂଘରୋଧ କେନ୍ଦ୍ର ସମସ୍ତ ବ୍ୟବସ୍ଥା ସହ ଖୋଲାଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ହୋଇଥିବା ବେଳେ ବାହାର ରାଜ୍ୟରୁ ଫେରୁଥିବା ଓଡିଆଙ୍କ ପାଇଁ ପାରଳା ପୌରପରିଷଦ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ଏଠାରେ କାହାର କୌଣସି ଅସୁବିଧା ନ ହେବା ଭଳି ଦୃଷ୍ଟି ରଖାଯାଇ ସମସ୍ତ ବ୍ୟବସ୍ଥା କରାଯାଇଛି । ପାରଳା ସହରର ଟାଉନ୍ହଲ,ବିଜୁ କଲ୍ୟାଣ ମଣ୍ଡପ,ଏସଟିଏସସି କଲେଜ ହଷ୍ଟେଲ,ସଂସ୍କୃତ ମହାବିଦ୍ୟାଳୟ ଓ ଜିଲ୍ଲା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଆଦି ୫ଗୋଟି ସ୍ଥାନରେ ପୌରପରିଷଦ ପକ୍ଷରୁ ୫ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି । ବାହାର ରାଜ୍ୟରୁ ଶହ ଶହ ପ୍ରବାସୀ ଆସିବା ପାଇଁ ପଞ୍ଜିକୃତ ହୋଇଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଶୌଚାଳୟ ବ୍ୟବସ୍ଥା,ପାନୀୟଜଳର ସୁ ବ୍ୟବସ୍ଥା,ଖଟ,ସେଜ ଇତ୍ୟାଦି ସମସ୍ତ ଆନୁସଂଗିକ ବ୍ୟବସ୍ଥା କରାଯାଇଛି । ଖାଇବା ପାଇଁ ସପ୍ତାହକୁ ୨ଥର ଆମିଷର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଗୁଡିକର ସୁ ପରିଚାଳନା ପାଇଁ ନୋଡାଲ ଅଧିକାରୀଙ୍କ ସହ ପୌର କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସୁଚନା ଦେଇଛନ୍ତି ।


