ପାରଳା ପୌର ନିର୍ବାଚନ : ୩ପ୍ରମୁଖ ଦଳର ପ୍ରଚାରରେ ଦୁଲିକିଲା ସହର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଦ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ପ୍ରଚାରରେ ଦୁଲିକିଲା ସହର । ଆସନ୍ତା ୨୪ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିବସରେ ୩ ଦଳ ଯଥା ବିଜେଡି, ବିଜେପି ଓ କଂଗ୍ରେସ ଦଳର ସହରର ୧୬ଗୋଟି ୱାର୍ଡ ପରିକ୍ରମା, ବିଶାଲ ର୍ୟାଲି, ଘରକୁ ଘର ବୁଲି ପ୍ରଚାର କରିବା ଆଦି କାର୍ଯ୍ୟକ୍ରମ ରହିଥିଲା । ଦିନ ତମାମ ସହରରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜାରି ରହିଥିଲା । ନିର୍ବାଚନ ଆଚରଣ ବିଧି ଅନୁଯାୟୀ ପ୍ରଚାର କାର୍ଯ୍ୟ କ୍ରମ ଶେଷ ହୋଇଛି । ଆଜି ବିଜେପି ଦଳ ଏକ ବିରାଟ ପଟୁଆର ତଥା ବାଇକ ର୍ୟାଲି କରି ଦଳ ତାର ଶକ୍ତି ପ୍ରଦର୍ଶନ କରିଥିଲା । ଏଥିରେ ମୁଖ୍ୟ ଆକର୍ଷଣ ଥିଲେ ଓଡିଆ ଟେଲି ତାରକା ତଥା ଝିଲି ସିରିଅଲର ଅଭିନେତା ସନ୍ଦୀପ ଓ ମାୟା ସିରିଅଲର ଅଭିନେତ୍ରୀ ରୁଦ୍ରୀ । ଏମାନଙ୍କୁ ଦେଖିବା ପାଇଁ ରାସ୍ତା ପାଶ୍ୱର୍ରେ ବହୁ ଜନସମାଗମ ହୋଇଥିବା ବେଳେ ଉକ୍ତ ର୍ୟାଲିରେ ୧ହଜାରରୁ ଉର୍ଦ୍ଧ ବିଜେପି କର୍ମୀ ନେତା ଯୋଗ ଦେଇଥିଲେ । ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଏହି ର୍ୟାଲି ଅନୁଷ୍ଠିତ ହୋଇଥିବା ବେଳେ, ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଜିଲ୍ଲା ପ୍ରଭାରୀ ସରୋଜ ସାବତ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପାରଳା ପୌରାଧ୍ୟକ୍ଷ ନୃସିଂହ ଚରଣ ପଟ୍ଟନାୟକ, ତିରୁପତି ନାୟକ ପ୍ରମୁଖଙ୍କ ସହିତ ସିଦ୍ଧେଶ୍ୱର ମିଶ୍ର, ଜଗନ୍ନାଥ ମହାପାତ୍ର ପ୍ରମୁଖ ଯୋଗଦେଇ ବିପୁଳ ପରିମାଣରେ ଭାଜପାକୁ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଏହି ର୍ୟାଲି ଆରମ୍ଭରେ ବିଜେପିର ପାରଳା ପୌରାଧ୍ୟକ୍ଷା ପ୍ରାର୍ଥୀନୀ ଏମ୍. ରାଜେଶ୍ୱରୀ ସ୍ଥାନୀୟ ନିଳାମା ଠାକୁରାଣୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ନଗର ପରିକ୍ରମା କରିଥିଲେ । ଏହି ର୍ୟାଲିରେ ୧୪ଗୋଟି ୱାର୍ଡର କାଉନସିଲର ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଉପସ୍ଥିତ ରହିଥିଲେ । ସେହିପରି କଂଗ୍ରେସ ତରଫରୁ ପ୍ରତିଦନ୍ଦିତା କରୁଥିବା ପୌରାଧ୍ୟକ୍ଷ ପ୍ରାର୍ଥୀନୀ ଖଗେଶ୍ୱରୀ ବେହେରା ଏବଂ ତାଙ୍କ ସମର୍ଥକ ମାନେ ସାହି ସାହି ବୁଲି ଭୋଟ ଭିକ୍ଷାକରିଥିବାର ଦେଖିବାକୁ ମିଳିଥିଲା । ସେହିପରି ଏହି ଦଳର ୱାର୍ଡର କାଉନସିଲର ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ମଧ୍ୟ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀନୀ ନିର୍ମଳା ସେଠୀ ମଧ୍ୟ ଦଳୀୟନେତୃବୃନ୍ଦଙ୍କ ସହ ବିରାଟ ର୍ୟାଲିରେ ବାହାରି ନଗର ପରିକ୍ରମା କରିବା ସହ ବିଭିନ୍ନ ୱାର୍ଡ ପରିକ୍ରମା କରି ଭୋଟ ଭିକ୍ଷା କରିଥିବାର ଦେଖିବାକୁ ମିଳିଥିଲା । ସେହିପରି ଏହି ଦଳର ୧୫ କାଉନସିଲର ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ନିଜ ନିଜ ୱାର୍ଡରେ ଭୋଟ ଭିକ୍ଷା କରିଥିବା ବେଳେ ୧୦ ନମ୍ବର ୱାର୍ଡ ପ୍ରାର୍ଥୀନୀ ନିଦ୍ୱନ୍ଦରେ ରହିଥିଲେ ମଧ୍ୟ ଚେୟାରମ୍ୟାନ ପ୍ରାର୍ଥୀନୀ ନିର୍ମଳାଙ୍କ ପାଇ ଭୋଟ ଭିକ୍ଷା କରୁଥିବାର ଲକ୍ଷ୍ୟ କରାଯାଇଥିଲା ।