ପାରଳା ବିସିସି ବ୍ୟଙ୍କରେ ଜାଲିଆତି ବ୍ୟାଙ୍କର ଅଧୀକୃତ ସୁନାରୀ ନକଲି ସୁନା ବନ୍ଧକ ଦେଇ ଲକ୍ଷ ଲକ୍ଷ ଠକେଇ,ସୁନାରୀ ଗିରଫ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବ୍ରହ୍ମପୁର କୋଅପରେଟିଭ ଅର୍ବାନ କେନ୍ଦ୍ରୀୟ ବ୍ୟାଙ୍କ ମହିଳା ଶାଖାରେ ଖୋଦ୍ ବ୍ୟଙ୍କର ଅଧୀକୃତ ସୁନାରୀ ନକଲି ସୁନା ଦେଇ ଲକ୍ଷ ଲକ୍ଷ ଠକି ଥିବାର ମାମଲା ରୁଜୁ ହୋଇଛି । ପାରଳାଖେମୁଣ୍ଡି ସ୍ଥିତ ଏଆର୍ସିଏସ୍ର ମୁଖ୍ୟ ଟି.ଭି.ପ୍ରସାଦ ରାଓ ଜଣାଇଛନ୍ତି ଯେ, ଗତ ୨୦୧୬ ମସିହାରେ ତତ୍କାଳୀନ ବ୍ୟାଙ୍କ ପରିଚାଳକ ଆର୍.ଭୂଜଙ୍ଗରାଓ ସମୟରେ ଏକ ସୁନା ବନ୍ଧକ ଋଣ ପ୍ରଦାନ କରିଥିଲେ । ଋଣ ଅବଧି ଏକ ବର୍ଷ ହୋଇଥିବା ବେଳେ ଗ୍ରାହକ ଜଣକ ଏହି ଏକ ବର୍ଷ ମଧ୍ୟରେ ନିଜ ସୁନା ମୁକୁଳାଇ ନ ପାରିବାରୁ ମୂଳ ଓ ସୁଧ ମିଶି ୨୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା । ତେବେ ଗ୍ରାହକ ଜଣକ ପକ୍ଷରୁ ୧୩ଲକ୍ଷ ଟଙ୍କା ପୈଠ କରିଥିଲେ ମଧ୍ୟ ଅବଶିଷ୍ଟ ୧୧ଲକ୍ଷ ଟଙ୍କା ବକେୟା ରହିଥିଲା । ଏହାକୁ ନେଇ ବ୍ରହ୍ମପୁର ସ୍ଥିତ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲାପାଳ ଏହି ଅନିୟମିତତାକୁ ନେଇ ଋଣ ଆଦାୟ ନିମନ୍ତେ ଏକ ଟିମ୍ ଆସି ଗ୍ରାହକଙ୍କୁ ଟଙ୍କା ପୈଠ କରିବାପାଇଁ ବାରମ୍ବାର ନୋଟିସ ମାଧ୍ୟମରେ ଜଣାଇଲେ ମଧ୍ୟ ଗ୍ରାହକ କୌଣସି କଥା ମାନିବାକୁ ନାରାଜ ରହିଥିଲେ । ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଅନୁମାନ କରିପାରି ସୁନାକୁ ଯାଞ୍ଚା କରିବା ସକାଶେ ନିଷ୍ପତ୍ତି ନେଇଥିଲେ । ଏହାକୁ ଭିତ୍ତିକରି ସୁନା ଯାଞ୍ଚ ହୋଇଥିଲା ଏବଂ ଏଥିରେ ଗ୍ରାହକ ଜଣକ ନକଲି ସୁନା ଦେଇଥିବାର ଜଣାପଡିଥିଲା । ଏହି ସୁନାର ଆନୁମାନିକ ଓଜନ ପ୍ରାୟ ୪ଶହ ୬୦ଗ୍ରାମ ରହିଥିବାର ସୂଚନା ମିଳିଛି । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ବର୍ତ୍ତମାନର ବ୍ରହ୍ମପୁର କୋଅପେରେଟିଭ୍ କେନ୍ଦ୍ରୀୟ ବ୍ୟାଙ୍କର ମହିଳା ଶାଖାର ବର୍ତ୍ତମାନର ପରିଚାଳକ ବିନୋଦ କୁମାର ନନ୍ଦ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପାରଳାଖେମୁଣ୍ଡି ଆଦର୍ଶ ଥାନା କେସ୍ ନଂ ୩୦୨/୨୦ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବାର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ପ୍ରଦାନ କରି କହିଛନ୍ତି, ଏହି ଘଟଣାରେ ସୁନାରୀ କେ.ଗୋପୀ ଗିରଫ ହୋଇଥିବା ବେଳେ ତତ୍କାଳୀନ ବ୍ୟାଙ୍କ ପରିଚାଳକ ଏଥିରେ ତଦନ୍ତ ପରିସରଭୁକ୍ତ ଅଛନ୍ତି । ତାଙ୍କୁ ନୋଟିସ କରାଯାଇଛି । ଅତି ତୁରନ୍ତ ଏହାର ସମସ୍ତ ରହସ୍ୟ ଲୋକଲୋଚନକୁ ଆସିବ ।


