ପାରଳା ମହାରାଜା ଉଚ୍ଚ ବାଳିକା ବିଦ୍ୟାଳୟର ଶତ ବାର୍ଷିକୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ମହାରାଜା ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ୱାରା ନିର୍ମିତ ମହାରାଜା ଉଚ୍ଚ ବଳିକା ବିଦ୍ୟାଳୟ ନିର୍ମାଣ ହୋଇ ୧୦୦ ବର୍ଷ ପୁରଣ ହୋଇ ପାରିଛି. ତେଣୁ ଏହାର ଶତ ବାର୍ଷିକୀ ଉତ୍ସବକୁ ଆଜି ପାରଳାଖେମୁଣ୍ଡି ଠାରେ ପାଳନ କରାଯାଇଛି. ମହାରାଜା ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ନବ ନିର୍ମିତ ପ୍ରତିମୂର୍ତ୍ତିକୁ ଆଜି ପାରଳା ରାଜ କୁମାରୀ ସୁଶ୍ରୀ କଲ୍ୟାଣୀ ଗଜପତି ଉଦଘାଟନ କରିଛନ୍ତି. ଏହି ଉଦଘାଟନ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ. ପରେ ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଶତ ବାର୍ଷିକୀ ଉତ୍ସବ ପାଳିତ ହୋଇଥିଲା. ଉତ୍ସବ ପରିଚାଳନା କମିଟିର ସଭାନେତ୍ରୀ ଡ଼ କଳ୍ପନା ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମ୍ଲାନ ପ୍ରତିଭା ଉପରେ ଆଲୋକପାତ କରିବା ସହ ୧୦୦ ବର୍ଷ ତଳେ ନାରୀମାନଙ୍କ ଶିକ୍ଷାର ବିକାଶ ପାଇଁ ଏଭଳି ସ୍ୱତନ୍ତ୍ର ବାଳିକା ହାଇସ୍କୁଲର ନିର୍ମାଣ ସ୍ବର୍ଗତ ଗଜପତିଙ୍କ ଅବିସ୍ମରଣୀୟ ପଦକ୍ଷେପ ଅଟେ ବୋଲି କହିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷାବିତ ଶୈଳଵାଳା ପାଢୀ, ଡ଼. ସ୍ୱରାଜ ଲକ୍ଷ୍ମୀ ବକ୍ସି, ନିର୍ମଳା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ. ପରିଚାଳନା କମିଟିର ସମ୍ପାଦିକା ଭାରତୀ ପାଣିଗ୍ରାହୀ ସମ୍ପାଦକିୟ ବିବରଣୀ ପାଠ କରିଥିଲେ. ପାରଳା ବିଧାୟକଙ୍କ ପ୍ରତିନିଧି ଆଦରସ ଦାସ, ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପ୍ରଧାନ ଉତ୍ସବରେ ଶତାୟୁ ବିଦ୍ୟାଳୟର ବିଭିନ୍ନ ଗୁରୁତ୍ୱପୁର୍ଣ କାର୍ଯ୍ୟକ୍ରମ ସହ ଏବଂ ପୁରାତନ ଦିନର ବିଦ୍ୟାଳୟର ବିଭିନ୍ନ ପ୍ରତିଭା ଉପରେ ଆଲୋକପାତ କରିଥିଲେ. ଏହି ସମାରୋହରେ ବର୍ତ୍ତମାନ ଛାତ୍ରୀମାନଙ୍କ ସହ ବହୁ ପୁରାତନ ଛାତ୍ରୀ ଯୋଗ ଦେଇ ପୁରାତନ ସ୍ମୃତିକୁ ସ୍ମରଣ କରିଥିଲେ.