ପାରଳା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ବିକାଶ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ ଧାରାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପାରଳାଖେମୁଣ୍ଡି ବିଶିଷ୍ଟ ସଂଗୀତଜ୍ଞ ଗୁରୁ ଶ୍ରୀ ରଘୁନାଥ ପାତ୍ର ମୁଖ୍ୟ ଅତିଥି ଏବଂ ପାରଳାଖେମୁଣ୍ଡି ୧୫ ନଂ ଓ୍ବାର୍ଡ କାଉନସିଲର ଶ୍ରୀ ସୁରଜିତ ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଆୟୋଜିତ ଉତ୍ସବରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଅଧ୍ୟକ୍ଷତା କରିବା ସହ ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କ ପ୍ରତିଯୋଗିତାରେ ଅଂଶଗ୍ରହଣ ଏବଂ ତାର ସଫଳତା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଗୁରୁ ଶ୍ରୀ ରଘୁନାଥ ପାତ୍ର ଛାତ୍ରୀମାନଙ୍କ ଜୀବନରେ ପାଠ ବ୍ୟତୀତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଶ୍ରୀ ସୁରଜିତ ତ୍ରିପାଠୀ ଶିକ୍ଷାନୁଷ୍ଠାନର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭାଗର ମୁଖ୍ୟ ଡଃ ମନସ୍ବିନୀ ଦାସ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ନୋଡାଲ୍ ଅଫିସର ଶ୍ରୀମତି ସୋଫିଆ ମଣ୍ଡଳ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମ ଶେଷରେ ସଂସ୍କୃତ ବିଭାଗ ଅଧ୍ୟାପିକା ଡି. ପ୍ରିୟଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।ଏତଦ୍ ବ୍ୟତୀତ ୧୦୦ ରୁ ଉର୍ଦ୍ଧ୍ଵ ଛାତ୍ରୀମାନେ ଓଡ଼ିଆ, ଇଂରାଜୀ ତେଲୁଗୁ ବକ୍ତୃତା, ପ୍ରବନ୍ଧ ,ଫ୍ଲାବର ଏରେଞ୍ଜମେଣ୍ଟ , ମୋବାଇଲ୍ ଫଟୋଗ୍ରାଫି ,ଚିତ୍ର ,କାର୍ଟୁନ୍ ଚିତ୍ର, ରଙ୍ଗୋଲି ପ୍ରତିଯୋଗିତାରେ ରେ ଅଂଶ ଗ୍ରହଣ କରିଥିଲେ।


