ପାରଳା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି ମୌଳିକ ସ୍ୱାସ୍ଥ୍ୟସେବା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ସରକାରୀ ଡାକ୍ତରଖାନା ରହିଚି. ଉନ୍ନତମାନର ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ନାଁରେ ରାଜ୍ୟ ସରକାର ଏହି ଡାକ୍ତରଖାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି. ହେଲେ ସାଧାରଣ ଲୋକେ ସାମାନ୍ୟତମ ମୌଳିକ ସ୍ୱାସ୍ଥ୍ୟସେବା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ପାଉନଥିବା ଅଭିଯୋଗ ହୋଇଛି. ଗତ କିଛି ମାସ ପୂର୍ବେ ରାଜ୍ୟ ସରକାରଙ୍କ ତରଫରୁ ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଜିଲ୍ଲା ହସ୍ପିଟାଲର ମରାମତି ସହ ନୂତନ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଥିଲା । ହେଲେ, ଯେଉଁ ସ୍ଥାନରେ ଅଧିକା ରୋଗୀ ଯାଉଛନ୍ତି ଏବଂ ରକ୍ତରେପରୀକ୍ଷା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପରୀକ୍ଷାମାନ କରାଉଛନ୍ତି, ସେଠାରେ କିନ୍ତୁ ରୋଗୀଙ୍କ ପାଇଁ ଖଣ୍ଡେ ଚୌକି ପଡ଼ିନଥିବା ଏବଂ ଫ୍ୟାଟିଏ ମଧ୍ୟ ନଥିବା ଦୃଷ୍ଟିକୁ ଆସିଛି। ସପ୍ତାହେ ହେଲା ପାରଦ ୪୦ ଡିଗ୍ରି ରହୁଥିବା ବେଳେ ଏଠାକୁ ଆସୁଥିବା ରୋଗୀମାନେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ ଚିକିତ୍ସା ପାଇଁ ଆସିଥିବା କିଛି ରୋଗୀ କହିଛନ୍ତିଯେ ସକାଳ ୯ଟାରେ ରକ୍ତପରୀକ୍ଷା ପାଇଁ ସାମ୍ପୁଲ ଦେଇଥିଲେ | ମଧ୍ୟାହ୍ନ ପରେ ସୁଦ୍ଧା ରିପୋର୍ଟ ମିଳିନାହିଁ. ଏଠାରେ
କୌଣସି ପ୍ରକାର ସୁବିଧା ନାହିଁ | ଗରମରେ କଲବଲ ହୋଇ ଗଲେବି ରିପୋର୍ଟ ମିଳିବାରେ ବିଳମ୍ବ ହେଉଛି ତେଣୁ ବାଧ୍ୟ ହୋଇ ଘରକୁ ଫେରି ଯାଉଛୁ. ପୁଣି ଥରେ ଅପରାହ୍ଣରେ ହସପିଟାଲ ଆସିଲେ ବି ସାଙ୍ଗେସଙ୍ଗେ ରିପୋର୍ଟ ମିଳୁନାହିଁ. ଏଭଳି ବହୁ ଅସୁବିଧା ସହ ସରକାରୀ ଡାକ୍ତରଖାନରେ ଲୋକଙ୍କୁ ମିଳୁନି ଉଚିତ ସେବା. ଅନେକ ସମୟରେ ସାମାନ୍ୟ ଗୁରୁତର ରୋଗୀଙ୍କୁ ବ୍ରାହ୍ମପୁର କିମ୍ବା ଆନ୍ଧ୍ର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିବାକୁ କୁହାଯାଉଛି. ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କାହିଁକି ଏଭଳି ଅବ୍ୟବସ୍ଥା ଚାଲୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି.


