ପାରାଦୀପ, ପିଆଇସିଟି ପରିସରରେ ଫୋରକ୍ଲିପ ଚାପାରେ ଇଞ୍ଜିନିୟର ମୃତ

ପାରାଦୀପ,(ୱାଏନଏସ):ପାରାଦୀପ ବନ୍ଦର ମଧ୍ୟରେ ବିଓଟି ବେସିସରେ କାମ କରୁଥିବା ଘରୋଇ ଜେ ଏମ ବକ୍ସି ଗ୍ରୁପର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ମଧ୍ୟରେ ଦୁର୍ଘଟଣା ଘଟିଛି।ଜଣେ ଇଞ୍ଜିନିୟର ପିଆଇସିଟି ବର୍ଥ ପାଖରେ ଡ୍ୟୁଟି କରୁଥିବା ବେଳେ ଏକ ଫୋରକ୍ଲିପ (ଭାରୀଯାନ)ତାଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।ଘଟଣା ପରେ କମ୍ପାନୀ କର୍ତ୍ତୃପକ୍ଷ ତରବରିଆ ଭାବେ ପରିବାର ଲୋକଙ୍କୁ ନ ଜଣାଇ ସିଧାସଳଖ ଭାବେ କୁଜଙ୍ଗ ବ୍ୟବଚ୍ଛେଦ ଘର ପାଖକୁ ନେଇ ଯାଇଥିଲେ।ଯାହାକୁ ନେଇ କମ୍ପାନୀ କର୍ମଚାରୀ, ଶ୍ରମିକ ଓ ମୃତକଙ୍କ ଗାଁ ଲୋକେ ପିଆଇସିଟି ଫାଟକ ଆଗରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।ଶବ ଘଟଣା ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ମୃତକଙ୍କ ଅସୁସ୍ଥ ବାପା ଅପନା ସ୍ବାଇଁ କହିଛନ୍ତି।ପୋଲିସ ଶବ ଘଟଣା ସ୍ଥଳକୁ ଆସିବ ନାହିଁ ବୋଲି ଲୋକଙ୍କୁ କହିଛି।ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି ହୋଇଛି।ମୃତକ ହେଲେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଧନୁହରବେଲାରୀ ଗ୍ରାମର ଭୋଳାନାଥ ସ୍ବାଇଁ (୩୨)।ସେ ପିଆଇସିଟି ମଧ୍ୟରେ ସାଇଅନ୍ସ ମେରାଇନ୍ ପ୍ରାଇଭେଟ ଲିମିଟେଡ଼ ନାମକ ଠିକାସଂସ୍ଥାର ଇଞ୍ଜିନିୟର ଭାବେ କାମ କରୁଥିଲେ।ମଧ୍ୟାହ୍ନ ୧.୩୦ ରେ ବର୍ଥ ପାଖରେ କିଛି ଲେଖାଲେଖି କରୁଥିବା ବେଳେ ଭାରୀଯାନ ଫୋରକ୍ଲିପ ତାଙ୍କ ଉପରେ ଚଢ଼ି ଯାଇଥିଲା।ଶରୀର ଓ ମୁଣ୍ଡ ଖଣ୍ଡ ବିଖଣ୍ଡିତ ହୋଇ ଯାଇଥିଲା।ଏହି ଖବର ପାଇ କମ୍ପାନୀ ପରିସରରେ କାମ କରୁଥିବା ଲୋକ ଏକାଠି ହେବା ପୂର୍ବରୁ କମ୍ପାନୀ ଆମ୍ବୁଲାନ୍ସ ଜରିଆରେ ମୃତଦେହକୁ ନେଇ କୁଜଙ୍ଗ ପଳାଇ ଯାଇଥିଲେ।ଲୋକମାନେ ପ୍ରଥମେ ପୋର୍ଟ ହସପିଟାଲ ଓ ବିଜୁ ମେମୋରିଆଲ ହସପିଟାଲରେ ଖୋଜାଖୋଜି କରିଥିଲେ।କମ୍ପାନୀ ଫାଟକ ବନ୍ଦ ହେବାରୁ କମ୍ପାନୀ ଲୋକ ଜଣାଇଥିଲେ ଶବ କୁଜଙ୍ଗ ବ୍ୟବଚ୍ଛେଦ ଘର ପାଖରେ ଅଛି।ମୃତକଙ୍କ ପରିବାର ଲୋକଙ୍କୁ ନ ଜଣାଇ କାହିଁକି ଏପରି କରାଯାଇଛି ବୋଲି ଲୋକମାନେ ଆନ୍ଦୋଳନ କରିଥିଲେ।ପ୍ରାୟ ୨ ଘଣ୍ଟା ପରେ ଗାଁ ଲୋକେ ଏକ ବସରେ ଆସି କୁଜଙ୍ଗରୁ ଶବ ନେବାକୁ ଅଡ଼ି ବସିଥିଲେ।ସେଠାରେ କୁଜଙ୍ଗ ପୋଲିସ ମନା କରିଥିଲା।ଏହି ଘଟଣାକୁ ନେଇ କୁଜଙ୍ଗ ଓ ପାରାଦୀପରେ ଲୋକମାନେ ପୋଲିସ ବିରୋଧରେ ନାରାବାଜି କରିବା ସହ ଧାରଣା ଦେଇଛନ୍ତି।ରିପୋର୍ଟ ଲେଖା ହେବା ସୁଦ୍ଧା ଶବ କୁଜଙ୍ଗରେ ରହିଛି ଏବଂ ଧାରଣା ପାରାଦୀପରେ ଚାଲିଛି।ମୃତକଙ୍କୁ କ୍ଷତିପୂରଣ ଦେବା ଆଲୋଚନା ଆରମ୍ଭ ହୋଇନାହିଁ।ମୃତ ଭୋଳାନାଥ ପରିବାରର ଏକମାତ୍ର ପୁଅ ଓ ରୋଜଗାର କରୁଥିଲେ।ତାଙ୍କ ମା ବାପା ପକ୍ଷାଘାତ ରୋଗରେ ଆକ୍ରାନ୍ତ।ପତ୍ନୀ ଓ ଏକ ବର୍ଷର ପୁତ୍ର ସନ୍ତାନ ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ