ପାରାଦ୍ୱୀପରେ ଅମ୍ଫାନର ତାଣ୍ଡବ ବନ୍ଦର ଓ ପୋଲିସ ପ୍ରଶାସନର ବ୍ୟାପକ ବ୍ୟବସ୍ଥା

ପାରାଦ୍ୱୀପ (ପୀତବାସ ପ୍ରଧାନ) : ପ୍ରଳୟଙ୍କାରୀ ମହାବାତ୍ୟା ଅମ୍ଫାନର ତାଣ୍ଡବ ବନ୍ଦର ସହର ପାରାଦ୍ୱୀପରେ ଦେଖିବାକୁ ମିଳିଥିଲା । ପବନର ପ୍ରବଳ ବେଗରେ ଗଛ ଗୁଡିକ ଉପୁଡି ରାସ୍ତା ଉପରେ ଶୋଇପଡିଥିଲା । ବର୍ଷା ପ୍ରବଳମାତ୍ରା ରେ ବର୍ଷିବାରୁ ସହର ସମେତ ତଳିଆ ଅଞ୍ଚଳରେ ପାଣି ଜମି ରହିଥିଲା । ପ୍ରଶାସନ ପକ୍ଷରୁ ତଳିଆ, ବସ୍ତି ଅଞ୍ଚଳରୁ ଲୋକମାନଙ୍କୁ ବିଭିନ୍ନ ନିରାପଦ ସ୍ଥାନକୁ ନିଆଯାଇଥିଲା । ଲୋକମାନେ ପାରାଦ୍ୱୀପର ବାରଟି ଆଶ୍ରୟସ୍ଥଳରେ ରହିଥିଲେ । ଏହି ଆଶ୍ରୟସ୍ଥଳ ଗୁଡିକ ରେ ପ୍ରବଳ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ମୁଖ୍ୟତଃ ପରିମଳ, ମାସ୍କ, ସାମାଜିକ ଦ୍ୱରତ୍ୱ ଦେଖିବାକୁ ମିଳିନଥିଲା । ଏହି ଆଶ୍ରୟସ୍ଥଳ ଗୁଡିକରେ ଯିଏ ଯୋଉଠି ଖାଇ ଅଇଁଠାପତ୍ର ଫୋପାଡିବାରୁ ଦୁର୍ଗନ୍ଧ ହେଉଥିଲା । ଅପରପକ୍ଷରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ବିଭିନ୍ନ ଆଶୟୟସ୍ଥଳ ମାନଙ୍କରେ ରନ୍ଧା ଓ ଶୁଖିଲା ଖାଦ୍ୟ ସମେତ ମାସ୍କ ଓ ସାନିଟାଇଜର ବାଣ୍ଟିଥିବାର ଦେଖାଯାଇଥିଲା । ବନ୍ଦର ପ୍ରଶାସନ ପକ୍ଷରୁ ବୁଧବାର ସକାଳୁ ବଡ ବଡ ପେଲୋଡର ଲଗେଇ ମୁଖ୍ୟରାସ୍ତା ଉପେର ଭାଙ୍ଗି ପଡିଥିବା ବଡ ବଡ ଗଛ ଗୁଡିକୁ ସଫାକରାଇବା ଦ୍ୱାରା ସାଧାରଣ ଯାତାୟତ ସହଜସାଧ୍ୟ ହୋଇଥିଲା । ସେହିପରି ପାରାଦ୍ୱୀପ ମଡେଲ ଥାନା ପକ୍ଷରୁ ଅନ୍ୟ ଗଛ ପୋଲିସ ଓଡରାଫ୍ ଟିମ୍ ସାହାଯ୍ୟରେ କରାଯାଇଥିଲା । ପାରାଦ୍ୱୀପ ଏଏସ୍‌ପି ବିଷ୍ଣୁ ଚରଣ ମିଶ୍ର ଓ ମଡେଲ ପୋଲିସ ଥାନା ଅଧିକାରୀ ରଜନୀକାନ୍ତ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ଓଡ୍‌ରାଫ ଟିମ୍ ସହରରେ ବିଭିନ୍ନ ସ୍ଥାନ ଓ ଘର ଉପରେ ପଡିଥିବା ଭଙ୍ଗା ଗଛ ଗୁଡିକୁ କଟାଯାଇ ପରିଷ୍କାର କରାଇଥିଲେ । ଅମ୍ଫନ ମହାବାତ୍ୟା ରେ ପାରାଦ୍ୱୀପ ବନ୍ଦର ଓ ପୋଲିସ ଓଡ୍‌ରାଫ ଟିମ୍‌ର ପ୍ରଶଂସନୀୟ କାର୍ଯ୍ୟକୁ ସହରବାସୀ ପ୍ରଶଂସା କରିଛନ୍ତି । ୧୯୯୯ ମହାବାତ୍ୟା, ଫାଇଲିନ୍‌, ହୁଡ୍‌ହୁଡ୍‌, ତିିତିଲି ଭଳି ବାତ୍ୟା ଦେଖିଥିବା ପାରାଦ୍ୱୀପବାସୀ ୨୧୪ ମିଲିମିଟର ବର୍ଷା ଦେଖି ହତଚକିତ ହୋଇଯାଇଥିଲେ । ବିଗତ ବାତ୍ୟା ଗୁଡିକରେ ବର୍ଷା ଏତେ ପରିମାଣର ନଥିବା ବେଳେ ଅମ୍ଫାନରେ ବର୍ଷା ସହରବାସୀଙ୍କ ସମେତ ବସ୍ତି ଅଞ୍ଚଳର ଲୋକଙ୍କୁ ହଇରାଣ କରିଦେଇଛି । ତଳିଆ ବସ୍ତି ଅଞ୍ଚଳର ଘରେ ପାଣି ପଶି ଯିବାରୁ ଆଶ୍ରୟସ୍ଥଳରୁ ଫେରି ଲୋକ ଘର ସଜାଡିବାରେ ବ୍ୟସ୍ତ ଦେଖିବାକୁ ମିଳିଛି । ଷଣ୍ଡକୁଦ, ନୂଆବଜାର, ଜଗନ୍ନାଥ କଲୋନୀ ଭଳି ବସ୍ତି ମାନଙ୍କରେ ଚାଳିଆଘର ଛପର ଉଡି ଯାଇଥିବାରୁ ଘରବାହୁଡା ଲୋକଙ୍କର ଦୁଃଖ ଦୁଇଗୁଣିତ କରି ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ