ପାରିତ ହୋଇପାରିଲାନି ନାଗରିକତ୍ୱ ଓ ଟ୍ରିପଲ୍ ତଲାକ୍ ବିଲ୍

ନୂଆଦିଲ୍ଳୀ: (ଏଜେନ୍ସି):ରାଜ୍ୟସଭାକୁ ଆଜି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିବା ବେଳେ ବିବାଦୀୟ ନାଗରିକତ୍ୱ ବିଲ୍ ଓ ଟ୍ରିପଲ ତଲାକକୁ ଉଚ୍ଛେଦ ପାଇଁ ଉଦ୍ଦିଷ୍ଟ ବିଲ୍ ବିଲୋପ ପାଇଯିବାର ଆଶଙ୍କା ପ୍ରକାଶ ପାଇଛି । ଏହି ଦୁଇ ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଥିବା ବେଳେ ରାଜ୍ୟସଭା ଶୀତଅଧିବେଶନର ଶେଷ ଦିନ ସୁଦ୍ଧା ମଧ୍ୟ ପାରିତ ହୋଇପାରିନାହିଁ । କେନ୍ଦ୍ର ସରକାର ଆଜି ରାଜ୍ୟସଭାରେ ଏହି ଦୁଇ ବିଲ୍କୁ ଆଗତ କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିଲେ ମଧ୍ୟ ବିରୋଧୀ ଦଳଙ୍କ ହଟ୍ଟଗୋଳ ଓ ପ୍ରବଳ ପାଟିତୁଣ୍ଡ ଯୋଗୁ ଏହା ସମ୍ଭବ ହୋଇପାରିନାହିଁ । ବିରୋଧୀଙ୍କ ହୋ-ହଲ୍ଲା ଯୋଗୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଗୃହକୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଏଥିସହ ଦେଶରେ ସାଧାରଣ ନିର୍ବାଚନ ଶେଷ ହେବା ପୂର୍ବରୁ ଆଉ ଏହି ଦୁଇ ବିଲ୍ ଉପରେ ଆଲୋଚନା ହେବା କିମ୍ବା ବିଲ୍ ପାରିତ ହେବାର ସମ୍ଭାବନା ମଧ୍ୟ ଆପାତତଃ ଶେଷ ହୋଇଯାଇଛି । ଆଗାମୀ ସାଧାରଣ ନିର୍ବାଚନ ପରେ ନୂଆ ସରକାରଙ୍କ ନେତୃତ୍ୱରେ ରାଜ୍ୟସଭା ଅଧିବେଶନ ବସିବ । ମାତ୍ର ସେସମୟ ସୁଦ୍ଧା ଏହି ଦୁଇ ବିଲ୍ ସ୍ୱତଃପ୍ରବୃତ୍ତ ଭାବେ ନଷ୍ଟ ହୋଇଯିବ । ତେବେ ସରକାର ଏହି ଦୁଇ ବିଲ୍କୁ ପାରିତ କରାଇବା ଉଦ୍ଦେଶ୍ୟରେ ରାଜ୍ୟସଭା ଅଧିବେଶନକୁ ବୃଦ୍ଧି କରିପାରନ୍ତି ବୋଲି ମଧ୍ୟ ମତପ୍ରକାଶ ପାଇଛି । ଅନ୍ୟପକ୍ଷେ ଆଜି ଗୃହରେ ପ୍ରବଳ ହୋହଲ୍ଲା ମଧ୍ୟରେ ରାଫେଲ ଡିଲ୍ ପ୍ରସଙ୍ଗରେ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଥିଲା । ସେହିପରି ବ୍ୟକ୍ତିଗତ ଆଇନ୍ ସଂଶୋଧନ ବିଧେୟକ-୨ଠ୧୯ ସଂସଦର ଅନୁମୋଦନ ଲାଭ କରିଛି । ରାଜ୍ୟସଭାରେ ବିନା କୌଣସି ଆଲୋଚନାରେ ଏହି ବିଧେୟକଙ୍କୁ ମଞ୍ଜୁରି ମିଳିଛି । ପୂର୍ବରୁ ଏହି ବିଲ୍ ଲୋକସଭାରେ ଅନୁମୋଦନ ହୋଇସାରିଥିବା ବେଳେ ଏବେ ଏହା ଆଇନ୍ରେ ପରିଣତ ହେବା ସମ୍ଭବ ହୋଇପାରିବ । ବିଶେଷକରି କୁଷ୍ଠ ବ୍ୟାଧିର ଚିକିତ୍ସା ସମ୍ଭବ ହେତୁ ଏଥିରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଅଧିକାର ସମ୍ପର୍କରେ ଏହି ବିଧେୟକରେ ବ୍ୟବସ୍ଥା ରହିଛି ଯାହାକି କୁଷ୍ଠରୋଗୀଙ୍କ ପ୍ରତି ହେଉଥିବା ଭେଦଭାବକୁ ଦୂର କରାଯାଇପାରିବ । ସେହିପରି ଅନୁସୂଚୀତ ଜନଜାତି ଆଦେଶ ବିଧେୟକ-୨ଠ୧୯ର ତୃତୀୟ ସଂଶୋଧନକୁ ବିନା କୌଣସି ଆଲୋଚନାରେ ଅନୁମୋଦନ କରାଯାଇଛି । ଏତଦ୍ବ୍ୟତୀତ ରାଜ୍ୟସଭାରେ ରାଷ୍ଟ୍ରୀୟ ଖାଦ୍ୟ ପ୍ରାଦ୍ୟୋଗିକି ସଂସ୍ଥାନ ଉଦ୍ୟମିତା ଏବଂ ପରିଚାଳନା ବିଧେୟକ- ୨ଠ୧୯ ଆଗତ କରାଯାଇଛି । ତେବେ ଚଳିତ ଅଧିବେଶନରେ ମାତ୍ର ୪.୯% କାର୍ଯ୍ୟ ହୋଇଥିବା ନେଇ ଗୃହ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ନିଜ ଶେଷ ଅଭିଭାଷଣରେ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ