ପାରିବାରିକ କଳହରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
ସୋରଡ଼ା,(ରଜନୀକାନ୍ତ ମହାପାତ୍ର): ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ଇଲାକାର ଓଳମ୍ବା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା | ପାରିବାରିକ କଳହରୁ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ | ଏହି ହତ୍ୟା କାଣ୍ଡରେ ସ୍ତ୍ରୀ ଙ୍କୁ ମଧ୍ୟ ଆଘାତ ଲାଗିଛି | ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଛି | ଖବର ପାଇଁ ଘଟଣା ସ୍ଥଳରେ ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓଳମ୍ବା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି | ମିଳିଥିବା ସୂଚନା ପ୍ରକାରେ ଓଳମ୍ବା ଗ୍ରାମରେ ଦଣ୍ଡପାଣି ନାୟକଙ୍କ କୌଣସି ପୁତ୍ର ସନ୍ତାନ ନଥିବାରୁ ନିଜ ସାନ ଝିଅ କୁନ୍ତୀକୁ ନିଜ ଭଣଜା ପଞ୍ଚା ନାୟକଙ୍କ ସହ ବିବାହ କରାଇଥିଲେ | ପଞ୍ଚା ନାୟକ ସୋରଡ଼ା ଇଲାକାର ଜାଲିଘାଇର ବାସିନ୍ଦା | ନିଜ ମାମୁଙ୍କ ଝିଅଙ୍କୁ ବାହା ହୋଇ ଦଣ୍ଡପାଣିଙ୍କ ଘର ଜ୍ୱାଇଁ ହୋଇ ରହିଥିଲେ ପଞ୍ଚା | ପଞ୍ଚାଙ୍କର ଦେଢ଼ ବର୍ଷର ଗୋଟିଏ ଝିଅ ମଧ୍ୟ ଅଛି | ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥାଏ | ପଞ୍ଚା ମଦ୍ୟ ପାନ କରି ନିଜ ସ୍ତ୍ରୀଙ୍କୁ ବାଡେଇବା ମଧ୍ୟ ଗାଁ ଲୋକେ ଜାଣିଛନ୍ତି | ଆଜି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଝଗଡା ଆରମ୍ଭ ହୋଇଯାଇଥିଲା | ପଞ୍ଚା ରାଗରେ ନିଜ ସ୍ତ୍ରୀକୁ କିଛି ଧମକ ଦେବା ସହ ଏକ ଧାରୁଆ କାତିରେ ନିଜ ସ୍ତ୍ରୀକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା | ସେତିକି ବେଳେ ପଡିସା ଘରେ ଥିବା ତାଙ୍କ ଦେଢ଼ଶାସୁ ଓ ସ୍ତ୍ରୀ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପଞ୍ଚା ଅଟକି ନଥିଲା ଶେଷରେ ଝଗଡା ଉଗ୍ରରୂପ ଧାରଣ କରିଥିଲା | ପଞ୍ଚାଙ୍କ ସ୍ତ୍ରୀ ଓ ଦେଢ଼ଶାସୁ ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଯାଇ ପଞ୍ଚାଙ୍କ ଉପରେ ପ୍ରତିଆକ୍ରମଣ କରିଥିଲେ | ଯାହା ଫଳରେ ପଞ୍ଚାଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣାଟି ଆଖପାଖ ଗ୍ରାମରେ ଆଲୋଡନ ସୃଷ୍ଟି କରିଛି |