ପାରିବାରିକ କଳହର ଭୟଙ୍କର ପରିଣତି ;ପତ୍ନୀ ଓ ପୁଅକୁ ଗୁଳିକଲେ ବାପା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହ ଯୋଗୁଁ ପରିଣତି ଅତ୍ୟନ୍ତ ଭୟଙ୍କର ହୋଇଛି । ବାପା ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ପତ୍ନୀ ଓ ପୁଅ ଉପରକୁ ଗୁଳି ଚଳାଇଛନ୍ତି । ହେଲେ ଉଭୟେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣାଟି ଗଜପତି ଜିଲ୍ଲାର ରାୟଗଡ ବ୍ଲକର କୁମୁଲାସିଂ ଗ୍ରାମରେ ଘଟିଛି । ଘଟଣାରେ ପୋଲିସ ବାପାଙ୍କୁ ଗିରଫ କରି ଗତକାଲି ପାରଳାଖେମୁଣ୍ଡି କୋର୍ଟକୁ ଚାଲାଣ କରିଥିବା ସୁଚନା ମିଳିଛି । ଏହି ଘଟଣାଟି ଶନିବାର ରାତିରେ ଘଟିଛି । ରାୟଗଡ ଥାନା ଅଧିନ କୁମୁଲାସିଂ ଗ୍ରାମ ଯିହୁଦା ଘଣ୍ଟଙ୍କ ଘରେ କୌଣସି କାରଣରୁ ନେଇ ପତ୍ନୀ ତରାବତୀ ଘଣ୍ଟ(୫୩) ଓ ପୁଅ ଯିକ୍ରିୟ ଘଣ୍ଟ(୨୨)ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ପାରିବାରିକ କଳହ ଆରମ୍ଭ ହୋଇଥିଲା । ଏଥିରେ ଯିହୁଦା ଉତ୍କ୍ଷିପ୍ତ ହୋଇ ମାଆ ପୁଅ ଦୁହିଁଙ୍କୁ ମାଡ ମାରିଥିଲେ । ତେବେ ସେମାନେ ଏହାର ବିରୋଧ କରିବାରୁ ଘରେ ଥିବା ଏକ ଦେଶୀ ବନ୍ଧୁକରେ ଯିହୁଦା ପତ୍ନୀ ଓ ପୁଅ ଉପରକୁ ଗୁଳି ଚାଳନା କରିଥିଲେ । ହେଲେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ ମାଆ ଓ ପୁଅ । ଏହାପରେ ପୁଣି ଯିହୁଦା ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ହେଲେ ମାଆ ପୁଅ ଦୁହେଁ ଯିହୁଦାକୁ ଧକ୍କା ଦେଇ ଘରୁ ଦୌଡି ପଳାଇ ରାୟଗଡ ଥାନାରେ ପହଞ୍ଚି ଆଶ୍ରୟ ନେଇଥିଲେ । ପତ୍ନୀ ଓ ପୁଅର ଅଭିଯୋଗ ପ୍ରକାରେ ରାୟଗଡ ପୋଲିସ ୭୮/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଦ୍ୱାରା ଯିହୁଦାକୁ ଗିରଫ କରି ପୋଲିସ ରବିବାର ଦିନ କୋର୍ଟ ଚାଲାଣ କରିଛି । ଏହା ସହ ତାଙ୍କ ଠାରୁ ପୋଲିସ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଥିବା ରାୟଗଡ ଥାନା ସୁତ୍ରରୁ ପ୍ରକାଶ ।