ପାର୍କିଂ ଫି’ ଆଦାୟକୁ କେନ୍ଦ୍ରକରି ବସ୍ ଟର୍ମିନାଲ ପରିସର ପାଲଟିଲା ରଣକ୍ଷେତ୍ର
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି କର୍ମୀ ଥାନା ଘେରିଲେ, ୪ ଗିରଫ
ହିଞ୍ଜିଳିକାଟୁ.(ଶେଷଦେବ ସାହୁ): ବସ୍ ଟର୍ମିନାଲ ପରିସରରେ ଗାଡି ପାର୍କିଂ କରିବା ଏବଂ ପାର୍କିଂ ଫି’ ବାବଦକୁ ଅର୍ଥ ମାଗିବା ପଡିଛି ମହଙ୍ଗା । ବସ୍ ଟର୍ମିନାଲ ପରିସରରେ ପାର୍କିଂ ସ୍ଥାନାଭାବ ଦର୍ଶାଇ ପାର୍କିଂ, ଫି ନେଦବା ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ପରେ ହାତାହାତି ହେବା ସହ ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଶତାଧିକ ବିଜେପି କର୍ମୀ ହିଞ୍ଜିଳି ଥାନା ଘେରିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ମଙ୍ଗଳବାର ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଘଟିଥିବା ଦେଖିବାକୁ ମିଳିଛି । ଆକ୍ରମଣରେ ୪ରୁ ଉର୍ଦ୍ଧ୍ୱ ଯୁବକ ଆହତ ହୋଇଛନ୍ତି । ଆହତ ମାନେ ହେଲେ ବ୍ରହ୍ମପୁର ଅଞ୍ଚଳର ଶୁଭମ୍ ବିଷୋୟୀ , ନାରାୟଣ ବେହେରା , ଚିଦାନନ୍ଦ ପଟ୍ଟନାୟକ ଓ ଚିନ୍ମୟାନନ୍ଦ ପଟ୍ଟନାୟକ ।
ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟାରେ ହିଞ୍ଜିଳିକାଟୁର ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଅଞ୍ଚଳର କିଛି ଯୁବକ କାର୍ ଯୋଗେ ଆସି ହିଞ୍ଜିଳିକାଟୁ ଠାରେ ପହଞ୍ଚିଥିଲେ । ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ କାର୍ ପାର୍କିଂ କରିବା ପରେ ଲିଜଧାରୀ କିଛି ଯୁବକ କାରଗାଡି ନିକଟକୁ ଆସି ପାର୍କିଂ ଫି’ ବାବଦକୁ ଟଙ୍କା ମାଗିଥିଲେ । କିନ୍ତୁ କାରଗାଡିରେ ଆସିଥିବା ଯୁବକ ମାନେ ପାର୍କିଂ ବାବଦକୁ ଆବଶ୍ୟକ ସ୍ଥାନ ନଥିବା ଦର୍ଶାଇ ଫି’ ଦେବାକୁ ମନା କରି ଦେଇଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ସହ ହାତାହାତି ହୋଇଥିଲା । କିଛି ସମୟ ପରେ ହିଞ୍ଜିଳିକାଟୁ ଅଞ୍ଚଳର କିଛି ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଆସିଥିବା ଯୁବକ ମାନେ ବିଜେପି କର୍ମୀ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ବିଜେପି କର୍ମୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ । ଫଳରେ ବସ୍ ଟର୍ମିନାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଯୁବକ ଆହତ ହୋଇଛନ୍ତି । ଖବର ପାଇ ହିଞ୍ଜିଳି ପୁଲିସ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ବିଜେପି କର୍ମୀ ହିଞ୍ଜିଳି ଥାନାରେ ପହଞ୍ଚି ଥାନା ଘେରିଥିଲେ । ଘଟଣା ନେଇ ବ୍ରହ୍ମପୁର ଟାଉନଥାନା ଗେଟବଜାର ଅଞ୍ଚଳର ନାରାୟଣ ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୦୦୬/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ନାରାୟଣଙ୍କ ସମେତ ତାଙ୍କର ୪ ଜଣ ସହଯୋଗୀଙ୍କୁ ହିଞ୍ଜିଳି ଥାନା ଅଞ୍ଚଳର ସଞ୍ଜୟ ଦାସ, ବିକାଶ ବେହେରା, ଶେଖର ସେଠି, ବଳିଆ ଦାସ, ଚିଣ୍ଟୁ ଦାସ, ପପୁନଙ୍କ ସମେତ ଆହୁରି ୭/୮ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ନାରାୟଣ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରି ୪ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ହିଞ୍ଜିଳି କେନାଳ ସାହିର ସଞ୍ଜୟ ଦାସ (୨୬), ବିକାଶ ବେହେରା (୨୨), ସିନେମାହଲ ଛକ ୧୯ ନଂ ଓ୍ବାର୍ଡର ବଳିଆ ଦାସ (୨୪) ଓ ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ରାମକୃଷ୍ଣ ଦାସ (୬୦) । ଗିରଫ ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ସଂପୃକ୍ତଥିବା ଆହୁରି ୩/୪ ଜଣ ଫେରାର ହୋଇଯାଇଛନ୍ତି। ଫେରାର ଯୁବକଙ୍କୁ ଯଥାଶୀଘ୍ର ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ମଙ୍ଗଳବାର ରାତିରେ ହିଞ୍ଜିଳି ପୁଲିସ ଜଣେ ଆକ୍ରମଣକାରୀଙ୍କୁ କାବୁ କରି ହିଞ୍ଜିଳି ଥାନାକୁ ଆଣିଥିଲେ। ପୁଲିସ ଗାଡିରୁ ଓହ୍ଲାଇ ସଂପୃକ୍ତ ଯୁବକଙ୍କୁ ଥାନାକୁ ଆଣୁଥିବା ବେଳେ ଥାନା ପରିସରରେ ଉପସ୍ଥିତ ଥିବା କିଛି ଉତ୍ୟକ୍ତ ବିଜେପି କର୍ମୀ ସଂପୃକ୍ତ ଯୁବକଙ୍କୁ ପୁଲିସ କବଳରୁ ଛଡାଇ ମାଡ ମାରୁଥିବା ଘଟଣା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଏଭଳି ଘଟଣାକୁ କେନ୍ଦ୍ର କରି ବଡ ଧରଣର ଅଘଟଣ ଘଟିବା ଆଶଙ୍କା ରହିଛି । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା କେନାଳ ସାହି ବାସିନ୍ଦା ମହିଳା ସଞ୍ଜୁ ଦାସ ପାଲଟା ଅଭିଯୋଗ କରିଛନ୍ତି। ସଞ୍ଜୁଙ୍କ ପୁଅ ସଞ୍ଜୟ ଦାସ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପାର୍କିଂ ଫି’ ଆଦାୟ କରିବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ମଙ୍ଗଳବାର ରାତିରେ ଏକ କାରଗାଡିରେ ୪/୫ ଜଣ ଯୁବକ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଗାଡି ପାର୍କିଂ କରିଥିଲେ। ପାର୍କିଂ ଫି’ବାବଦକୁ ସଞ୍ଜୟ ଟଙ୍କା ମାଗିବାରୁ ଗାଡିରେ ଥିବା ଯୁବକ ମାନେ ନିଜକୁ ବିଜେପି କର୍ମୀ ବୋଲି ପରିଚୟ ଦେବା ସହ ତାଙ୍କରି ଦଳ ସରକାର ଗଠନ କରିଛି। ତେଣୁ ପାର୍କିଂ ଫି’ବାବଦକୁ ଟଙ୍କା ଦେବାକୁ ମନା କରିଥିଲେ। ସଞ୍ଜୟ ପାର୍କିଂ ଫି’ବାବଦକୁ ଜୋର ଜବରଦସ୍ତ ଟଙ୍କା ମାଗିବାରୁ ସଂପୃକ୍ତ ଯୁବକ ମାନେ ଜାତିଆଣ ଆକ୍ଷେପ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ପରେ ଉତ୍ୟକ୍ତ ହୋଇ ଗାଡି ଭିତରେ ଥିବା ଜାଗିରଡରେ ସଞ୍ଜୟଙ୍କୁ ଆକ୍ରମଣ କରିଥିଲେ ବୋଲି ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-୧୦୦୭/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଫୋଟ – ଗିରଫ ଆକ୍ରମଣକାରୀ ଓ ଥାନା ଘେରାଉ କରିଥିବା ବିଜେପି କର୍ମୀ