ପାର୍କିଂ ଫି’ ଆଦାୟକୁ କେନ୍ଦ୍ରକରି ପୁଣି ଦେଖାଗଲା ଉତ୍ତେଜନା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): କିଛି ଦିନର ବ୍ୟବଧାନ ପରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପୁଣିଥରେ ପାର୍କିଂ ଫି’ଆଦାୟକୁ କେନ୍ଦ୍ରକରି ସୋମବାର ସନ୍ଧ୍ୟାରେ ଉତ୍ତେଜନା ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଅଞ୍ଚଳର ଜଣେ ଯୁବକ ନିଜ କାର୍ ଗାଡ଼ିକୁ ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପାର୍କିଂ କରିଥିଲେ। ପାର୍କିଂ ଫି’ଆଦାୟ କରୁଥିବା ଜୈନିକ ଯୁବକ ପାର୍କିଂ ବାବଦକୁ ଟଙ୍କା ମାଗିଥିଲେ। କାର୍‌ ଚାଳକ ଜଣଙ୍କ ପାର୍କିଂ ବାବଦକୁ ଆବଶ୍ୟକ ସ୍ଥାନ ନଥିବା ଦର୍ଶାଇ ଫି’ ଦେବାକୁ ମନା କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହେବା ସହ ଉତ୍ତେଜନା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ କିଛି ଭଦ୍ରବ୍ୟକ୍ତି ପହଞ୍ଚି ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ କରିବା ପରେ ଉତ୍ତେଜନା ଥମିଥିଲା। ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ପାର୍କିଂ ପାଇଁ ଆବଶ୍ୟକ ସ୍ଥାନ ଅଭାଵ ଯୋଗୁଁ ବହୁ ସମୟରେ ପାର୍କିଂ ଫି’ବାବଦକୁ ଟଙ୍କା ଆଦାୟକୁ କେନ୍ଦ୍ରକରି ଉଚ୍ଚବାଚ ହେଉଥିବା ଘଟଣା ନିତିଦିନିଆ ଘଟଣା ପାଲଟିଛି। ଏ ଦିଗରେ ପୈାର ଓ ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
ପ୍ରକାଶ ଥାଉକି, ଗତ ଡିସେମ୍ବର ୧୦ ତାରିଖ ରାତି ପ୍ରାୟ ସାଢେ ୮ଟାରେ ହିଞ୍ଜିଳିକାଟୁର ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଅଞ୍ଚଳର କିଛି ଯୁବକ କାର୍ ଯୋଗେ ଆସି ହିଞ୍ଜିଳିକାଟୁ ଠାରେ ପହଞ୍ଚିଥିଲେ । ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ କାର୍ ପାର୍କିଂ କରିବା ପରେ ଲିଜଧାରୀ କିଛି ଯୁବକ କାରଗାଡି ନିକଟକୁ ଆସି ପାର୍କିଂ ଫି’ ବାବଦକୁ ଟଙ୍କା ମାଗିଥିଲେ । କିନ୍ତୁ କାରଗାଡିରେ ଆସିଥିବା ଯୁବକ ମାନେ ପାର୍କିଂ ବାବଦକୁ ଆବଶ୍ୟକ ସ୍ଥାନ ନଥିବା ଦର୍ଶାଇ ଫି’ ଦେବାକୁ ମନା କରି ଦେଇଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ସହ ହାତାହାତି ହୋଇଥିଲା । କିଛି ସମୟ ପରେ ହିଞ୍ଜିଳିକାଟୁ ଅଞ୍ଚଳର କିଛି ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଆସିଥିବା ଯୁବକ ମାନେ ବିଜେପି କର୍ମୀ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ବିଜେପି କର୍ମୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ । ଫଳରେ ବସ୍ ଟର୍ମିନାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଯୁବକ ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ବିଜେପି କର୍ମୀ ହିଞ୍ଜିଳି ଥାନାରେ ପହଞ୍ଚି ଥାନା ଘେରିଥିଲେ । ସଂପୃକ୍ତ ଘଟଣାରେ ପୁଲିସ ତଦନ୍ତ କରି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Spread the love

Advertisement

ଏବେ ଏବେ