ପାର୍ବଣରେ ପ୍ରତିଟି ପୂଜା ପରିବେଶଧର୍ମୀ ହେଉ ‘ସୁପର କ୍ଲେ’ ରେ ଆଦିଶକ୍ତି ମା’ ଦୁର୍ଗା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ପାର୍ବଣରେ ପ୍ରତିଟି ପୂଜା ପରିବେଶଧର୍ମୀ ହେଉ, ଭକ୍ତ, ଶ୍ରଦ୍ଧାଳୁ ଓ ପୂଜା ମଣ୍ଡପର ଆୟୋଜକ ବନ୍ଧୁମାନେ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରନ୍ତୁ । ନଚେତ୍ ଆଗାମୀ ଦିନରେ ଜଳବାୟୁର ଜ୍ୱାଳା ଆହୁରି ଭୟଙ୍କର ରୂପ ନେବ । ଏକଥା କହିଛନ୍ତି ୯ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଜଗତ୍ଜନନୀ ମା’ ଦୁର୍ଗାଙ୍କ ଧରାବତରଣ ଅବସରରେ ବିଶ୍ୱବାସୀଙ୍କୁ ଏ ନେଇ ଜନସଚେତନତାର ବଳିଷ୍ଠ ବାର୍ତ୍ତା ଦେଇଛନ୍ତି । ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ଶାନ୍ତନୁ ଏହି ପରିପ୍ରେକ୍ଷୀରେ ‘ସୁପର କ୍ଲେ’ ରେ ଭକ୍ତିଭୂତ ଭାବରେ ଆରାଧନା କରି ଶ୍ରଦ୍ଧାର ସହିତ ନିଖୁଣ ରୂପେ ଗଢ଼ିଛନ୍ତି ଆଦିଶକ୍ତି ମା’ ଦୁର୍ଗାଙ୍କୁ । ଶାନ୍ତନୁ କୁହନ୍ତି ବିସର୍ଜନ ସମୟରେ ମୂର୍ତ୍ତିକୁ ଏଣେତେଣେ ନ ଫୋପାଡ଼ି ଅସ୍ଥାୟୀ ପୋଖରୀକୁ ବ୍ୟବହାର କରିବା ପାଇଁ ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । କମ୍ ବୟସରେ କଅଁଳ ହାତରେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କୁ ଆବାହନ କରି ସ୍ଥାନୀୟ ଅଞ୍ଚଳରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଯାଇଛନ୍ତି । ଶାନ୍ତନୁ ଏବେ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବାର ଜଣାପଡିଛି ।