ପାର୍ବତୀ ଗିରି ବୃହତ ଉଠାଜଳ ସେଚନ ଯୋଜନା ପାଇଁ ୩୯୬କୋଟି ୨୭ଲକ୍ଷ ମଞ୍ଜୁର ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ପାର୍ବତୀ ଗିରି ବୃହତ ଉଠାଜଳ ସେଚନ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯୬କୋଟି ୨୭ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ପକ୍ଷରୁ ତାଙ୍କୁ ଆଜି ଏକସାମ୍ବାଦିକ ସମ୍ମିଳନୀରେ କୃତଜ୍ଞତା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଗରାପୁର ଡାକବଙ୍ଗଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା କହିଥିଲେ ଯେ ଚାଷ ଉପଯୋଗୀ ଢିପ ଜମି ଗୁଡିକର ଭୈାଗଳିକ ସ୍ଥିତି ପାଇଁ ପାରମ୍ପରିକ ପ୍ରବାହମାନ ଜଳସେଚନ ପଦ୍ଧତି ଦ୍ୱାରା ଜଳସେଚିତ କରିବା ସମ୍ଭବପର ହୋଇନଥାଏ । ଏହି ଜମି ଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର “ପାର୍ବତୀ ଗିରି ବୃହତ ଉଠା ଜଳ ସେଚନ ଯୋଜନା” କୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ମୋଟ ୧୦,୭୫୯ କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ବରାଦରେ ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବ । ଏହି ଯୋଜନା ଅନ୍ତର୍ଗତ ଉପରୋକ୍ତ ପ୍ରକଳ୍ପ ମାଧ୍ୟମରେ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ଖରସୁଆ, କାଣୀ ଏବଂ ବୈତରଣୀ ନଦୀରୁ ଜଳ ଉତ୍ତୋଳନ କରି ପ୍ରେସରାଇଜ୍ଡ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ମାଧ୍ୟମରେ ୧୨,୯୧୪ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇଦେବା ସହିତ ପ୍ରକଳ୍ପ ଗୁଡିକର ବିଦ୍ୟୁତ ସଂଯୋଗୀକରଣ ଓ ୧୫ବର୍ଷ ପର୍ଯ୍ୟନ୍ତ ରକ୍ଷଣ ବେକ୍ଷଣ ପାଇଁ ପ୍ରସ୍ତାବ ରହିଛି । ଆଜି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୩୯୬କୋଟି ୨୭ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ପ୍ରକଳ୍ପ ୩୬ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଯାଜପୁର ଜିଲ୍ଲାର ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ବିଞ୍ଝାରପୁର ବ୍ଲକ, ବରୀ ନିର୍ବାଚନ ମଣ୍ଡଳୀର ଯାଜପୁର ବ୍ଲକ ଓ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଆଳି ଏବଂ ରାଜକନିକା ବ୍ଲକର କୃଷକମାନେ ଉପକୃତ ହେବା ସହିତ ଏହାର ମାଇକ୍ରୋ ଜଳସେଚନ ସୁବିଧା ଉପଯୋଗ କରି ପାରମ୍ପରିକ ଧାନ ଫସଲ ବଦଳରେ ଅର୍ଥକାରୀ ଫସଲ କରିବାକୁ ଉତ୍ସାହିତ ହେବେ ।ଏତଦବ୍ୟତିତ ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିର ସହାୟକ ହେବ ବୋଲି ଜିଲ୍ଲା ବିଜେଡି ସଭାପତି ଶ୍ରୀ ପରିଡା କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ମଧୁଛନ୍ଦା ମହାନ୍ତି,ଲିଲିତା ଦାସ, ପ୍ରବୀଣା ଦାସ, ରାଜେଶ ଦାସ,ବିଜୟ ପତି, ପ୍ରଫୁଲ୍ଲ ଦାସ,ଧିରେନ ସାହୁ, ପ୍ରଦୀପ୍ତ ମହାନ୍ତି, ପ୍ରବୀର ମହାନ୍ତି, ଗାୟତ୍ରୀ ମହାନ୍ତି, ରୋତ୍ସା ସାହୁ, ମହନି ଚରଣ ଆଚାର୍ଯ୍ୟ, ସରୋଜ ପଣ୍ଡା, ସରୋଜ ସାହୁ, ରାଜେଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ବିଜେଡି ଉପସଭାପତି ଦେବଦାସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।