ପାଳ ଟୁକୁଡ଼ା ଆଖିରେ ପଶିବାରୁ ବାଇକ କୁ ପିଟିଲା ବାଇକ୨ ଆହତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସାଧାରଣ ବ୍ୟବହାର ଯୋଗ୍ୟ ପିଚୁ ରାସ୍ତାକୁ ଅବରୋଧ କରି କିଛି ଚାଷୀ ଧାନ ଫସଲ ଅମଳ କରୁଥିବା ଦେଖା ଦେଇଛି।ପିଚୁ ରାସ୍ତା ଉପରେ ଧାନ କଳେଇ ପକାଇ କିଛି ଚାଷୀ ଏଭଳି ବେପାରୁଆ ଢଙ୍ଗରେ ଧାନ ଅମଳ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଜଣାପଡିଛି।ଏତଦବ୍ୟତୀତ ରାସ୍ତା କଡରେ ଧାନ କଳେଇ ମହଜୁଦ ରଖି କିଛି ଚାଷୀ ଧାନ ଅମଳ ମେସିନ ଦ୍ୱାରା ଧାନ ଫସଲ ଅମଳ କରୁଥିବା ବେଳେ ରାସ୍ତାରେ ଯାତାୟତ କରୁଥିବା ବାଟୋଇ,ବାଇକ ଚାଳକ ଓ ଅନ୍ୟ ମାନଙ୍କ ପାଇଁ ଦୁର୍ଘଟଣାର କାରଣ ପାଲଟିଛି।ଫଳରେ ଧନ ଜୀବନ କ୍ଷୟକ୍ଷତି ଘଟି ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି।ଧାନ ଅମଳ ଯନ୍ତ୍ରରୁ ପାଳ ଟୁକୁଡ଼ା ଅଂଶ ଉଡି ଆସି ଜଣେ ବାଇକ ଚାଳକଙ୍କ ଆଖିରେ ପଶିବାରୁ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟି ୨ ଜଣ ଚାଳକ ଆହତ ହୋଇଥିବା ଜଣାପଡିଛି।ସ୍ଥାନୀୟ ହିଞ୍ଜିଳି ଥାନା କଞ୍ଚୁରୁ ଛକ ନିକଟରେ ଶନିବାରଏଭଳି ଦୁର୍ଘଟଣା ଘଟିଥିବା ବେଳେ ଆସିକା ଥାନା ଅଞ୍ଚଳର ବିଜୟ ନାହାକ ଓ ଗୋପାଳପୁର ଥାନା ଆମ୍ବପୁଅ ଅଞ୍ଚଳର ଅମିତ କୁମାର ମହାପାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି।ଘଟଣା ପ୍ରକାରେ ବିଜୟ ନାହାକ ବ୍ରହ୍ମପୁର ଅଭିମୁଖେ ବାଇକରେ ଯାଉଥିଲା ବେଳେ ଅପର ଦିଗରୁ ଅମିତ ଆସୁଥିବା ବେଳେ କଞ୍ଚୁରୁ ଛକ ନିକଟରେ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା।ସ୍ଥାନୀୟ ଲୋକେ ଉଭୟଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରୁ ବାଇକ ଦୁଇଟିକୁ ଥାନାକୁ ନେଇ ତଦନ୍ତ ଚଳାଇଛି। ରାସ୍ତା କଡରେ ମହଜୁଦ ଥିବା ଧାନ ଅମଳ ଯନ୍ତ୍ରରୁ ନିର୍ଗତ ପାଳ ଟୁକୁଡ଼ା ଉଡି ଆସି ଜଣେ ବାଇକ ଚାଳକଙ୍କ ଆଖିରେ ପଶି ଯିବା ଫଳରେ ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ କୁ ପିଟି ଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।ପ୍ରକାଶ ଥାଉକି ରାଜ୍ୟ ରାଜପଥ ଓ ମୁଖ୍ୟ ଜିଲ୍ଲା ସଡକ ପଥ ଉପରେ ଧାନ ଫସଲ ମହଜୁଦ ନ ରଖିବା ସହ ରାସ୍ତା ଅବରୋଧ ନ କରିବା ପାଇଁ ଆମ ପୋଲିସ ସମିତି ବୈଠକରେ ସାଧାରଣରେ ପ୍ରଶାସନିକ କଟକଣା ଲାଗୁ ରହିଛି। ସ୍ଥାନୀୟ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏସବୁ ଘଟୁଥିବା ବେଳେ ଦୁର୍ଘଟଣା ବି ବଢି ଚାଲିଛି।ରାସ୍ତା ଅବରୋଧ କାରୀଙ୍କ ପ୍ରତି ପୋଲିସର କୋହଳ ମନୋଭାବ ପ୍ରଦର୍ଶନ ଯୋଗୁଁ ଧାନ ଫସଲ ସବୁ ସ୍ଥାନେ ସ୍ଥାନେ ମହଜୁଦ ରଖି ଅମଳ କରିବା ପ୍ରକ୍ରିୟା ଦୀର୍ଘ ଦିନ ଧରି ଜାରି ରହିଛି।