ପାହାଡ ସଫା କରି ଗ୍ରାମବାସୀ କରୁଛନ୍ତି ରାସ୍ତା ନିର୍ମାଣ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଦୀର୍ଘ ବର୍ଷ ଧରି ୪ଟି ଗ୍ରାମର ଗ୍ରାମବାସୀ ମାନେ ନିଜ ପଞ୍ଚାତ କାର୍ଯ୍ୟାଳୟକୁ ସୁରୁଖୁରୁରେ ଯିବା ଆସିବା କରିପାରୁ ନଥିବାବେଳେ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ମଧ୍ୟ ପ୍ରଶାସନ କିଛି କରୁନଥିଲା । ଏବେ ଗ୍ରାମବାସୀମାନେ ନିଜେ ଶ୍ରମଦାନ କରି ପାହାଡ ସଫା କରି ପଞ୍ଚାୟତକୁ ଯିବା ଆସିବା କରିବାଲାଗି ରାସ୍ତା ନିର୍ମାଣ କରୁଛନ୍ତି ।ଖବରରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ହଦଗଡ ପଞ୍ଚାୟତର ଦଲକି, ପିତାନାଉ, ରତ୍ନମରା, ଯୁଣପସି ଆଦି ଗ୍ରାମରେ ତିନି ହଜାରରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ଏହି ଗାଁ ଗୁଡିକ ହଦଗଡର ବଣପାାହାଡ ଘେରା ଜଂଗଲ ଭିତରେ ଥିବାରୁ ଏମାନଙ୍କ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ ପାଇଁ ସେପରି କିଛି ସୁବିଧା ସୁଯୋଗ ନଥିଲା । ଏମାନେ ହଦଗଡର ସାଳନ୍ଦୀ ଡ୍ୟାମ ଭିତର ଦେଇ ହୁଲି ଡଙ୍ଗା ସାହାଯ୍ୟରେ ୪/୫ କିଲୋମିଟର ବାଟ ଆସି ହଦଗଡରେ ପହଞ୍ଚିଥାନ୍ତି । ନଚେତ କାଠକଟା ବାଟଦେଇ ଜଂଗଲ ବିଭାଗ ରାସ୍ତାରେ ୪୦କିଲୋମିଟର ଆସି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥାନ୍ତି । ଏମାନେ ୧୯୬୬ମସିହାରେ ହଦଗଡ ଜଳଭଣ୍ଡାର ନିର୍ମାଣ ସମୟରେ ଏହିସବୁ ଗାଁର ଲୋକମାନେ ବିସ୍ଥାପିତ ହୋଇ ଦଲକି, ପିତାନାଉ, ରତ୍ନମରା, ଯୁଣପସି ଆଦି ଗ୍ରାମରେ ରହି ଆସୁଛନ୍ତି । ଗମନାଗମନର ସୁବିଧା ନଥିବାରୁ ଏମାନେ ରେସନ ଚାଉଳ କିମ୍ବା ଭର୍ତ୍ତ ପାଇବା ପାଇଁ ନାନା ଅସୁବିଧା ଭୋଗ କରିଆସୁଥିଲେ । ଏପରିକି ଅନେକ ସମୟରେ ହୁଲି ଡଙ୍ଗା ସାହାଯ୍ୟରେ ଯାତାୟତ ବେଳେ ମଧ୍ୟ ଅଘଟଣର ସମ୍ମୁଖିନ ହେଉଥିଲେ । ଏପରିକି ଗାଁରୁ କୌଣସି ରୋଗୀ ଆଣିବାକୁ ତାଙ୍କୁ ନାନା ଖର୍ଚ୍ଚାନ୍ତ ହେବାକୁ ପଡିଥିଲା । ଠିକ ସମୟରେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ପାରୁ ନଥିବାରୁ ଅନେକ ଲୋକଙ୍କ ଜୀବନ ଯାଉଥିଲା । କିନ୍ତୁ ବଣ ଜଂଗଲ ଭିତର ଦେଇ ଏକ ପାଦଚଲା ରାସ୍ତା କିଛି ଲୋକଙ୍କ ପାଇଁ ସାହାରା ପାଲଟିଥିଲା । ଏହି ରାସ୍ତାଦେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଲେ ମାତ୍ର ୩କିଲୋମିଟର ଦୁରତା ହେଉଥିଲା । ଏହାକୁନେଇ କିଛି ଯୁବକ ଏବେ ଏକତ୍ରିତ ହୋଇ ନିଜେ ଶ୍ରମଦାନ କରି ଏହି ରାସ୍ତାଟିକୁ ନିର୍ମାଣ କରିବା ପାଇଁ ସଙ୍କଳ୍ପ ନେଇଥିଲେ । ୪ଟି ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ସପ୍ତାହକୁ ଗୋଟିଏ ଦିନ କେବଳ ସୋମବାର ଦିନ ଶ୍ରମଦାନ କରି ରାସ୍ତା ନିର୍ମାଣ ଆରମ୍ଭ କରିଦେଇଥିଲେ । ଏହା ଏବେ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏଡି ରାସ୍ତାଟି ନିର୍ମାଣ ସରିଗଲେ ହଦଗଡ ପଞ୍ଚାୟତର ୪ଟି ଗ୍ରାମର ଲୋକମାନଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବ ବୋଲି ଗ୍ରାମବାସୀମାନେ କହିଛନ୍ତି । ଏଡାଦ୍ୱାରା ସେମାନେ ପଞ୍ଚାୟତ କାର୍ଯ୍ୟାଳୟ ସହିତ ବ୍ଲକ, ତହସିଲ କିମ୍ବା ଡାକ୍ତରଖାନାକୁ ସ୍ୱଚ୍ଛନ୍ଦରେ ଯିବା ଆସିବା କରିପାରିବେ । ଏହି ରାସ୍ତା ଦ୍ୱାରା ସେମାନଙ୍କ ପିଲାମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ଅଗ୍ରସର ହୋଇପାରିବେ ବୋଲି ଗ୍ରାମବାସୀମାନେ କହିଛନ୍ତି ।


