ପାୟଲ ମ୍ୟୁଜିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ପରୀକ୍ଷା ପ୍ରମାଣପତ୍ର ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପାୟଲ ମ୍ୟୁଜିକ ସ୍କୁଲରେ ବାର୍ଷିକ ପରୀକ୍ଷା ପ୍ରମାଣପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠାନ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ସହିତ ସହବନ୍ଧିତ ହୋଇଥିବା ବେଳେ ପ୍ରତିବର୍ଷ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନୃତ୍ୟ, ସଂଗୀତ, ବାଦ୍ୟ, ଅଭିନୟ ଓ ଚିତ୍ରକଳାରେ ପରୀକ୍ଷା ଦେଇଆସୁଛନ୍ତି । ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ, ଓଡିଶା ସଂଗୀତ ନାଟକ ଏକାଡେମୀ, ଲଳିତକଳା ଏକାଡେମୀ, ପ୍ରୟାଗ ସଂଗୀତ ସମିତିରେ ପ୍ରତିବର୍ଷ ଅନୁଷ୍ଠିତ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତାର ପ୍ରମାଣପତ୍ର ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ପାୟଲ ମ୍ୟୁଜିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ନୀଳମାଧବ ପତି, ଶିକ୍ଷାବିତ ପ୍ରଣବ କୁମାର ଜେନା, ଦେବେନ୍ଦ୍ର କୁମାର ରାଉତ, ମଦନମୋହନ ସ୍ୱାଇଁ, ସମାଜସେବୀ ଗୁରୁଚରଣ ସ୍ୱାଇଁ, ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଶେଷରେ ଅନୁଷ୍ଠାନର ସଂଗୀତଗୁରୁ ଭାଷ୍କର ଚନ୍ଦ୍ର ବେହେରା ଓ ନୃତ୍ୟଗୁରୁ ଦିଲ୍ଲିପ କୁମାର ଜେନାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।


