ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକଙ୍କ ଦ୍ଵାରା ବଣ୍ଟା ହେଲା ମାସ୍କ
ନୂଆଦିଲ୍ଲୀ : କୋଭିଡ-୧୯ କାଳରେ ଦେଶବାସୀଙ୍କୁ ରିଲିଫ ସହାୟତା ସାମଗ୍ରୀ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଡାକରାରେ ପତ୍ର ସୂଚନା କାର୍ୟ୍ୟାଳୟ ସହଯୋଗରେ ଦିଲ୍ଲୀ ହେରିଟେଜ ରୋଟାରୀ କ୍ଲବ ୫୦ ହଜାର ପୁନଃବ୍ୟବହାର ଯୋଗ୍ୟ ମାସ୍କ ଯୋଗାଇଦେଇଛି । ରୋଟାରୀ ଇଣ୍ଟରନାସନାଲ ସଂଗଠନ ବ୍ୟବସାୟିକ ଓ ପେଷାଦାର ଲୋକଙ୍କୁ ଏକାଠି କରି ପୃଥିବୀ ସାରା ମାନବହିତୈଷି କାର୍ୟ୍ୟ ସମ୍ପାଦନ କରି ଜନସେବା କରିଥାଏ । ଲକଡାଉନ କାଳରେ ଘରେ ବସି ମହିଳା ଦର୍ଜିମାନେ ଏହି ମାସ୍କ ତିଆରି କରିଛନ୍ତି । ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ କୁଳଦୀପ ସିଂ ଧତୱାଲିଆ, ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ରାଜୀବ ଜୈନ ଏବଂ ଦିଲ୍ଲୀ ହେରିଟେଜ ରୋଟାରୀ କ୍ଳବର ସଭାପତି ଶ୍ରୀ ରାକେଶ ଜୈନ ଏହି ମାସ୍କ ବଣ୍ଟନ କାର୍ୟ୍ୟ ସମ୍ପାଦନ କରିଥିଲେ । ମାସ୍କଗୁଡିକୁ ପାର୍ଲିଆମେଣ୍ଟ ଷ୍ଟ୍ରିଟସ୍ଥିତ ଦିଲ୍ଲୀ ପୁଲିସ ଡିସିପି ଶ୍ରୀ ଏସ.ସିଂଘଲ ଓ କେନ୍ଦ୍ରୀୟ ଭଣ୍ଡାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ କୁମାରଙ୍କୁ ଜାତୀୟ ଗଣମାଧ୍ୟମ କେନ୍ଦ୍ରଠାରେ ପ୍ରଦାନ କରାଯାଇଥିଲା । ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଧତୱାଲିଆ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ମାସ୍କ ବାଣ୍ଟିଥିଲେ ।


