ପିଆଜ, ଆଳୁ, ରସୁଣ ଦର ଆକାଶ ଛୁଆଁ, ଗ୍ରାହକ ହନ୍ତସନ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ପିଆଜ, ଆଳୁ, ରସୁଣ ଦର ଆକାଶ ଛୁଆଁ ହୋଇଚାଲିଛି । ଦରଦାମ ନିୟନ୍ତ୍ରଣରେ ପ୍ରଶାସନର ଅଙ୍କୁଶ ନଥିବା ଯୋଗୁଁ ଖାଉଟିଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଗରୀବଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ଗତ ଦୁଇ ମାସ ହେଲା କ୍ରମାଗତ ଭାବେ ହିଂଜିଳିକାଟୁ ପୌରାଂଚଳ ବଜାରର ବିଭିନ୍ନ ଦୋକାନ ଗୁଡ଼ିକରେ ପିଆଜ କିଲୋ ୬୦ ଟଙ୍କା, ଆଳୁ କିଲୋ ୨୦ ଟଙ୍କା ରହିଥିବା ବେଳେ ରସୁଣ କିଲୋ ୨ଶହ ଟଙ୍କାରେ ବିକ୍ରି ହେଉଛି । ନିକଟବର୍ତି ଗ୍ରାମାଂଚଳ ଗୁଡ଼ିକରେ ଦର ଆହୁରି ଅଧିକା ରହିଛି । ଏପରିକି ମୁନାଫ ଖୋର ଅସାଧୁ ବ୍ୟବସାୟୀ ମାନେ ଗୋଦାମ ଗୃହରେ ପ୍ରଚୁର ପରିମାଣରେ ପିଆଜ ଗଛିତ ରଖିଥିବା ବେଳେ ବିଭିନ୍ନ ପ୍ରକାର ଆଳ ଦେଖାଇ ପିଆଜର କୃତିମ ଅଭାବ ସୃଷ୍ଟି କରୁଛନ୍ତି । ଏପରି ସ୍‌ଥଳେ ଗରୀବ ଖାଉଟିମାନଙ୍କ ପଖାଳ କଂସାରୁ ପିଆଜ ଓ ରସୁଣ ଏକପ୍ରକାର ଉଭେଇ ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିପରି ଭାବରେ ଆଜିର ସମାଜରେ ଘରେ ହେଉ କିମ୍ବା ଭୋଜିରେ ହେଉ ପ୍ରତ୍ୟେକ ଖାଦ୍ୟ ପଦାର୍ଥ ରୋଷେଇରେ ପିଆଜ ଓ ରସୁଣର ସ୍ୱତନ୍ତ୍ର ଚାହିଦା ଓ ଆଦର ରହିଛି । ମହାରାଷ୍ଟ୍ର ରାଜ୍ୟର ନାସିକରେ ଲଗାଣ ବର୍ଷା ଯୋଗୁଁ ପିଆଜ ଫସଲ ଉପ୍ତାଦନ ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ସ୍ଥାନୀୟ ବଜାରକୁ ପିଆଜ ଆସି ପାରୁନାହିଁ । ଯଦ୍ୱାରା ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି । ଏପରି ସ୍ଥଳେ ଯୋଗାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁନାଫ ଖୋର ବ୍ୟବସାୟୀଙ୍କ ମନଇଛା ଦର ବୃଦ୍ଧି ଦିଗରେ କୌଣସି ଲଗାମ ନଥିବା ଭଳି ମନେହେଉଛି । ଯଦ୍ୱାର ଖାଉଟି ମାନଙ୍କ ମହଲରେ ନାହିଁ ନଥିବା ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅପର ପକ୍ଷରେ ରାଜ୍ୟ ସରକାର ଚାଉଳ କିଲୋଗ୍ରାମ ପ୍ରତି ୧ ଟଙ୍କାରେ ଯୋଗାଇ ଦେଉଥିବା ବେଳେ ଖୋଲା ବଜାରରେ ପିଆଜ ଦର ୬୦ ଟଙ୍କାରେ ବିକ୍ରି କରାଯାଉଥିବା କେତେଦୂର ସମାଚିନ ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ