ପିଆଜ କିଲୋ ୧୦୦ ଟପିଲା
ନୂଆଦିଲ୍ଲୀ : ଦେଶରେ ପିଆଜର ଦର ଆକାଶ ଛୁଆଁ ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ବିଭିନ୍ନ ସହରରେ ପିଆଜ କିଲୋ ଏବେ ୧୦୦ ଟଙ୍କା ଟପିଗଲାଣି । କିଛି ସହରରେ ପିଆଜ ଦର କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ତେବେ ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଦେଶରେ ଏବେ ପିଆଜ ଚୋରି ଘଟଣା ବଢ଼ିଲାଣି । ବିଭିନ୍ନ ସ୍ଥାନରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ପିଆଜ ଚୋରି ହୋଇଥିବା ଜଣାପଡ଼ିଛି । ଦିଲ୍ଲୀ, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ବିହାରରୁ ଟ୍ରକ୍ ଏବଂ ଦୋକାନମାନଙ୍କରୁ ପିଆଜ ଚୋରି ଘଟଣା ବୃଦ୍ଧି ପାଉଛି । ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁରରେ ପିଆଜ କିଲୋ ୧୦୦ ଟଙ୍କା ଥିବାବେଳେ ଏକ ଦୋକାନରୁ ୫୦,୦୦୦ ଟଙ୍କାର ପିଆଜ ଚୋରି ହୋଇଛି । ସେହିପରି ଅନ୍ୟ ଏକ ପରିବା ଦୋକାନରୁ ୧୦ ବସ୍ତା ପିଆଜ ଚୋରି ହୋଇଥିବା ନେଇ ଏତଲା ହୋଇଛି । ଗୁଜରାଟର ସୁରଟରେ ଏକ ପରିବା ବଜାରରୁ ପ୍ରାୟ ୧୯,୦୦୦ ଟଙ୍କାର ପିଆଜ ଚୋରି ହୋଇଛି । ସୁରଟ, ବଦୋଦରା ଏବଂ ଗୁଜରାଟର ଅନ୍ୟ ସହରମାନଙ୍କରେ ପିଆଜ କିଲୋ ପିଛା ୮୦-୧୨୦ ଟଙ୍କାରେ ବିକ୍ରି ହେଉଛି ।
ଅନ୍ୟପକ୍ଷେ ମହାରାଷ୍ଟ୍ରର ନାଶିକ୍ ଉତ୍ତରପ୍ରଦେଶର ଗୋରଖପୁରକୁ ଟ୍ରକ୍ ଯୋଗେ ଯାଉଥିବା ୨୦ ଲକ୍ଷ ଟଙ୍କାର ପିଆଜ ବାଟରୁ ଚୋରି ହୋଇ ଯାଇଛି । ନାଶିକ ବ୍ୟବସାୟୀ ପ୍ରେମଚାନ୍ଦ ଶୁକ୍ଳା ୨୦ ଲକ୍ଷ ଟଙ୍କାର ପିଆଜ ଶିବପୁରର ଜାଭେଦ ନାମକ ଜଣେ ପରିବହନକାରୀଙ୍କ ଟ୍ରକ୍ର ରେ ପଠାଇଥିଲେ । କିନ୍ତୁ ବାଟରୁ ପିଆଜ ଚୋରି ହୋଇଗଲା । ଏନେଇ ପ୍ରେମଚାନ୍ଦ ଏଫ୍ଆଇଆର ରୁଜୁ କରିଛନ୍ତି । ଉଲ୍ଲେଖଯୋଗ୍ୟ ପିଆଜ ଦର କ୍ରମାଗତ ବଢ଼ୁଥିଲେ ମଧ୍ୟ ସରକାର ମଧ୍ୟ ଏହାର ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି । ପିଆଜ ଦର କେବେ କମିବ ବୋଲି ଗତ ବୁଧବାର ଦିନ ସଂସଦରେ ପ୍ରଶ୍ନ କରାଯିବାରୁ କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ କହିଥିଲେ ଯେ ଏହା ସରକାରଙ୍କ ହାତରେ ନାହିଁ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟରେ ୧.୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଆମଦାନି ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଏକ ବୈଠକ କରିଥିଲେ ।