ପିଆଜ ପରେ ଆଳୁ ଦର ବୃଦ୍ଧି, ଚିନ୍ତାରେ ଖାଉଟି

ହିିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍ /ଶେଷଦେବ ସାହୁ) : ପିଆଜ ପରେ ଏବେ ଆଳୁ ପାଳି । ଆଳୁ ଦର ବୃଦ୍ଧି ଖାଉଟିଙ୍କୁ କନ୍ଦେଇବା ଆଶଙ୍କା ଜଳଜଳ ଦେଖାଗଲାଣି । ଗତକାଲି ଠାରୁ ଆଳୁ ଦର ବୃଦ୍ଧି ଘଟିବା କାରଣରୁ ଖାଉଟି ମହଲରେ ଚିନ୍ତା ବଢାଇଛି । ଗତ ଦୁଇ ଦିନ ପୂର୍ବେ ଖୁଚୁରା ବଜାରରେକିଲୋ ପିଛା ୧୭/୧୮ ଟଙ୍କା ପଡ଼ୁଥିବା ବେଳ ବୁଧବାର ଆଳୁ ଦର କିଲୋ ପିଛା ୨୪ରୁ ୨୫ ଟଙ୍କାରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି । ଦୁଇ ଦିନ ମଧ୍ୟରେ କିଲୋ ପିଛା ୬ରୁ ୭ଟଙ୍କା ବୃଦ୍ଧି ଗରିବ ଖାଉଟିଙ୍କ ହାଣ୍ଡିଶାଳାରେ ଚଡ଼କ ପକାଇଛି । ପୂର୍ବରୁ ପରିବା ଓ ପିଆଜ ଦରକୁ ନେଇ ଖାଉଟି ହନ୍ତସନ୍ତ ଅବସ୍ଥାରେ ଥିବା ବେଳେ ଏବେ ଆଳୁ ଦର ଖାଉଟିଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି । ଗତ ଦୁଇ ଦିନ ପୂର୍ବେ ହିଂଜିଳିକାଟୁ ପୌରାଂଚଳ ପରିବା ବଜାରରେ ପାଇକାରୀ ଦର କିଲୋ ପିଛା ୧୪ ଟଙ୍କା ରହିଥିବା ବେଳ ଖୁଚୁରା ବଜାରରେ ୧୭/୧୮ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ବୁଧବାର ହଠାତ ପାଇକାରୀ ଦର ବୃଦ୍ଧି ଘଟିଛି । ପାଇକାରୀ ଦର କିଲୋ ପିଛା ୨୧ ଟଙ୍କା ରହିଥିବା ଜଣାପଡ଼ିଛି । ଏଣୁ ଖୁଚୁରା ବଜାରରେ ଦର ୨୪/୨୫ ଟଙ୍କା ରହିଛି । ଆଳୁର ଏହି ଦରବୃଦ୍ଧି ପାଇଁ ପଶ୍ଚିମବଙ୍ଗ ଦଙ୍ଗାକୁ ବ୍ୟବସାୟୀ ମାନେ ଦାୟୀ କରିଛନ୍ତି ଓ ଏହା ଏକ ସାମୟିକ ଦରବୃଦ୍ଧି ବୋଲି କହିଛନ୍ତି । ଆସନ୍ତା ସପ୍ତାହକ ମଧ୍ୟରେ ଆଳୁ ଦର ପୁଣି ସ୍ୱାଭାବିକ ହେବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି । ନାଗରିକ ବିଲ୍‌କୁ ନେଇ ପଶ୍ଚିମବଙ୍ଗରେ ଘଟିଥିବା ଗଣ୍ଡଗୋଳ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ଆଳୁ ପରିବହନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ସମ୍ପ୍ରତି ସବୁ ଖାଉଟି ଜିନିଷର ଦରଦାମ ଯେଉଁଭଳି ହୁ ହୁ ହୋଇ ବଢିଚାଲିଛି ଓ ଥରେ ବଢିଲେ କମିବା ନାଁ ଧରୁନାହିଁ, ସେଥିରେ ଆଳୁ ଦର ବୃଦ୍ଧି ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି । ସବୁଜ ପରିବା ଦର ହାରାହାରି ୫୦ ଟଙ୍କା ଥିବାରୁ ଲୋକେ ଆଳୁ ଉପରେ ନିର୍ଭର କରି ଚଳି ଯାଉଥିଲେ । ବର୍ତମାନ ପରିସ୍ଥିତିରେ ଆଳୁ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଏ ନେଇ ଯୋଗାଣ ବିଭାଗର ନିଷ୍କ୍ରିୟତା ଯୋଗୁଁ ବଜାରରେ ଏଭଳି ଘଟୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ