ପିଉଥିଲେ ପାଣି : ଚାଲିଗଲା ବାପା ଏବଂ ଦୁଇ ଝିଅଙ୍କଙ୍କ ସମେତ 4 ବର୍ଷର ଶିଶୁର ଜୀବନ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଳେ ବେଳେ ମୃତ୍ୟୁ କେଉଁ ରୂପରେ ଆସେ ତାହା କେହି ଜାଣିନଥାଏ I ଆଜି ଏହି ଭଳି ଏକ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି ଗୋଟିଏ ପରିବାରର ଗୋଟିଏ ଶିଶୁ, ଦୁଇ ଝିଅଙ୍କ ସମେତ ବାପା I ଆଜି ବେଲଗୁଣ୍ଠା ବ୍ଳକ୍ ଇନ୍ଧନପୁର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆସିକା ବ୍ଳକ୍ ମୁନିଗାଡ଼ି ଗ୍ରାମର ଜୟରାମ ନାୟକ (51) ଙ୍କ ସମେତ ତାଙ୍କର ଦୁଇ ଝିଅ ଲକ୍ଷ୍ମୀ ପାତ୍ର (25) ଏବଂ ରିଙ୍କି ନାୟକ (23) ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଲକ୍ଷ୍ମୀଙ୍କ ପୁଅ ବିଶ୍ୱଜିତ୍ ପାତ୍ର ମେଡ଼ିକାଲ୍ ଯିବା ରାସ୍ତାରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆଜି ସକାଳ ସମୟରେ ମୁନିଗାଡ଼ି ଗ୍ରାମର ଜୟରାମ ନାୟକ ନିଜ ପରିବାରର କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଗାଙ୍ଗପୁରରୁ ଲୁଗାପଟା ଏବଂ ସୁନା ଅଳଙ୍କାର କିଣି ନିଜର ନମ୍ବର୍ ବିଶିଷ୍ଟ ଏକ୍ସେଲ ଲୁନାରେ ନିଜର ଦୁଇ ଝିଅ ଲକ୍ଷ୍ମୀ, ରିଙ୍କି ଏବଂ ନାତି ବିଶ୍ୱଜିତ୍ ଙ୍କୁ ଧରି ମୁନିଗାଡ଼ିକୁ ଫେରୁଥିଲେ I ଏହି ସମୟରେ ପ୍ରବଳ ଖରା ହେତୁ ବିଶ୍ୱଜିତ୍ କୁ ଶୋଷ ଲାଗିଥିଲା I ତେଣୁ ସେମାନେ ପାଣି ପିଇବା ପାଇଁ ଇନ୍ଧନପୁର ଛକରେ ଥିବା ଏକ ନଳକୂପ ନିକଟରେ ଓହ୍ଲାଇଥିଲେ I ଜୟରାମ ନିଜ ଗାଡ଼ି ଧରି ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଦୁଇ ଝିଅ ଏବଂ ନାତି ପାଣି ପିଇବା ପାଇଁ ନଳକୂଅ ପାଖକୁ ଯାଇଥିଲେ I ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ନମ୍ବର୍ ବିଶିଷ୍ଟ ଏକ ବୋଲେରୋ ପିକ୍ଅପ ବୋଲେରୋ ଭାରସାମ୍ୟ ହରାଇ ଲକ୍ଷ୍ମୀ, ରିଙ୍କି ଏବଂ ବିଶ୍ୱଜିତ୍ କୁ ଧକ୍କା ଦେଇଥିଲା I ଏହା ପରେ ବୋଲେରୋଟି ଜୟରାମଙ୍କୁ ତାଙ୍କ ଗାଡ଼ି ସହ 30 ମିଟର ଦୂରକୁ ଘୋଷାରି ନେଇଥିଲା I ଘଟଣା ସ୍ଥଳରେ ଲକ୍ଷ୍ମୀ, ରିଙ୍କି ଏବଂ ଜୟରାମ ମୃତ୍ୟୁ ବରଣ କରିଥିବା ବେଳେ ଲକ୍ଷ୍ମୀଙ୍କ ପୁଅ ବିଶ୍ୱଜିତ୍ ଗୁରୁତର ଆହତ ହୋଇଥିଲେ I ଖବର ପାଇ ଘଟଣା ସ୍ଥଳରେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଏବଂ ଗାଙ୍ଗପୁର ପୋଲିସ୍ ପହଞ୍ଚି ଲକ୍ଷ୍ମୀ ଏବଂ ରିଙ୍କିଙ୍କ ଶବ ସହିତ ଗୁରୁତର ବିଶ୍ୱଜିତ୍ ଙ୍କୁ ଆସିକା ମେଡିକାଲ୍ କୂ ପଠାଇଥିଲେ I ସେଠାରୁ ଡ଼ାକ୍ତର ବିଶ୍ୱଜିତ୍ ଙ୍କୁ ବିଶାଖାପାଟଣା ନେଇଯିବା ପାଇଁ ପରାମର୍ଶ ଦେଇଥିଲେ I କିନ୍ତୁ ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ନେବା ରାସ୍ତାରେ ହିଁ ତାର ମଧ୍ୟ ମୃତ୍ୟୁ ଘଟିଥିଲା I ଏପଟେ ବୋଲେରୋ ତଳେ ଗୁଡେ଼ଇ ହୋଇ ରହିଥିବା ଜୟରାମଙ୍କ ଶବ ଏବଂ ଗାଡ଼ିକୁ ଉଦ୍ଧାର କରାଯାଇପାରି ନଥିବା ବେଳେ ଘଟଣା ସ୍ଥଳରେ ସ୍ଥାନୀୟ ଜନତା କ୍ଷତି ପୂରଣ ଦାବିରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି I ଘଟଣା ସ୍ଥଳରୁ ବୋଲେରୋ ଡ୍ରାଇଭରକୁ ଗିରଫ କରାଯାଇଥିବା ବେଳେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଏବଂ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ଘଟଣା ସ୍ଥଳରେ ଲୋକଙ୍କୁ ବୁଝାସୁଝା କରୁଛନ୍ତି I ଏହିଭଳି ଏକ ଆକସ୍ମିକ ଦୁର୍ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି I ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ବୋଲେରୋ ପିକ୍ଅପ୍ ଚାଳକ ଜଣଙ୍କର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହିଭଳି ଏକ ଅଘଟଣ ଘଟିଲା I ଲୋକଙ୍କ କହିବା ପ୍ରକାରେ ଏହି ବୋଲେରୋ ପିକ୍ଅପ୍ ଟି ପୂର୍ବରୁ ଅନ୍ୟ ଏକ ବାଇକକୁ ମଧ୍ୟ ଧକ୍କା ଦେବାରୁ ସେ ମଧ୍ୟ ଆହତ ହୋଇ ମେଡିକାଲ୍ ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି I ମିଳିଥିବା ସବିଶେଷ ସୂଚନା ପ୍ରକାରେ ଗରୀବ ଶ୍ରେଣୀର ଲୋକ I ତାଙ୍କର ପାଞ୍ଚୋଟି ଝିଅ ମଧ୍ୟରୁ ପୂର୍ବରୁ ତିନୋଟି ଝିଅର ବାହାଘର ସରିଯାଇଥିବା ବେଳେ ନିକଟରେ ଚାରି ନମ୍ବର୍ ଝିଅ ରିଙ୍କିର ବାହାଘର ଥିଲା I ମୃତ ଲକ୍ଷ୍ମୀ ପାତ୍ର ବୁଗୁଡ଼ା ନିକଟସ୍ଥ ମହୁଲପଲ୍ଲୀ ଗ୍ରାମରେ ବାହା ହୋଇଥିଲେ I ଲକ୍ଷ୍ମୀଙ୍କର ମୃତ ପୁଅ ବିଶ୍ୱଜିତ୍ ବ୍ୟତୀତ ଆଉ ଜଣେ ଏକ ବର୍ଷର ଝିଅ ଘରେ ଅଛି I ଘଟଣା ନେଇ ଗାଙ୍ଗପୁର ଥାନାରେ 133/22 ରେ ଏକ ଦୂର୍ଘଟଣା ମାମଲା ରୁଜୁ ହୋଇଛି I ଏହାର ତଦନ୍ତକାରୀ ଅଧିକାରୀ ଅଛନ୍ତି ଶ୍ରୀକାନ୍ତ ପ୍ରଧାନ I ଘଟଣା ସ୍ଥଳରେ ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା ପହଞ୍ଚି ମୃତ ଚାରି ଜଣଙ୍କ ପାଇଁ ରେଡକ୍ରସ୍ ରିଲିଫ୍ ଫଣ୍ଡ୍ ରୁ 40000 ଟଙ୍କା ପ୍ରଦାନ କରିଛନ୍ତି I ଘଟଣା ସମ୍ପର୍କରେ ଖବର ପାଇ ଆସିକା ବିଧାୟିକାଙ୍କ ପ୍ରତିନିଧି ନଚିକେତା ସ୍ୱାଇଁ, ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ଶିବ ନାହାକ, ମୁନିଗାଡ଼ି ସରପଞ୍ଚ ପ୍ରତିନିଧି ସନ୍ତୋଷ ସ୍ୱାଇଁ ପ୍ରମୁଖ ମୃତ ଜୟରାମଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କିଛି ସହାୟତା ଯୋଗାଇଦେବା ପାଇଁ ପ୍ରତିଶୃ୍ତି ଦେଇଛନ୍ତି I ପୋଲିସ୍ ପ୍ରଶାସନର ବୁଝାସୁଝା ପରେ ସ୍ଥାନୀୟ ଲୋକେ ଦୁଇଘଣ୍ଟା ପରେ ରାସ୍ତା ଅବରୋଧରୁ ହଟିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ