‘ପିଏକ୍ସଇ’ର ୧୨୭ତମ ପ୍ରତିଷ୍ଠା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା) : ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗର ‘ପ୍ରୁଫ ଏଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ ‘ପିଏକ୍ସଇ’ର ୧୨୭ତମ ସ୍ଥାପନା ଦିବସ ଓ ସ୍ୱାଧୀନତାର ଅମୃତ ମହୋତ୍ସବ ରବିବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଚାନ୍ଦିପୁରଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବକୁ ପିଏକ୍ସଇର ନିର୍ଦ୍ଦେଶକ ଡିକେ ଯୋଶୀ ପତ୍ତାକା ଉତ୍ତୋଳନ ଏବଂ ଆକାଶକୁ ବେଲୁନ ଛାଡ଼ି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରତିରକ୍ଷା ଗବେଷଣା ଓ ଯୁଦ୍ଧାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ‘ପିଏକ୍ସଇ’ର ଦୀର୍ଘକାଳୀନ ଅବଦାନ ରାଷ୍ଟ୍ର ସୁରକ୍ଷାରେ ଅନ୍ୟତମ ଅଙ୍ଗ ହୋଇ ପାରିଛି ବୋଲି ସେ ବକ୍ତବ୍ୟରେ କହିଥିଲେ । ନିଷ୍ଠାପର କାର୍ଯ୍ୟ ଦକ୍ଷତା ପାଇଁ ପିଏକ୍ସଇ ପରିବାରର ସମସ୍ତଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ । ବିଶ୍ୱର ସର୍ବପୁରାତନ ପ୍ରତିରକ୍ଷା ଗବେଷଣାଗାର ଭାବେ ଏହି ‘ପିଏକ୍ସଇ’ ଦେଶ ପାଇଁ ଗୌରବମୟ ଇତିହାସ ସୃଷ୍ଟି କରିପାରିଛି ବୋଲି ଶ୍ରୀ ଯେ।।ଶୀ ମତ ପ୍ରକାଶ କରିଥିଲେ । ସ୍ଥାପନା ଦିବସ ଉତ୍ସବ ପରିଚାଳନା ସମିତି ଅଧ୍ୟକ୍ଷ ଡ. ଶଙ୍କର୍ଷଣ ପାଢ଼ୀ ସ୍ଥାପନା ଉତ୍ସବର ରୂପରେଖ ଓ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ । କରୋନା ସଂକ୍ରମଣ ପ୍ରତି ସତର୍କତା ଅବଲମ୍ବନ ପୂର୍ବକ ଚଳିତ ବର୍ଷର ଉତ୍ସବ ଆୟୋଜନ ପରିସରକୁ ହ୍ରାସ କରାଯାଇଥିବା ସେ କହିଥିଲେ । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ୧୨ ଗୋଟି ଇଂଜିନିୟରିଂ କଲେଜରୁ ୫୬ ଜଣ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଇଣ୍ଟର୍ସିପ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ଡ. ପାଢ଼ୀ ସୂଚନା ଦେଇଥିଲେ । ଏହି ଅବସରରେ ପିଏକ୍ସଇ କର୍ମଚାରୀ ଓ ଅଧିକାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ନେଇ ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥି ସହିତ “ସ୍ୱାଧୀନତା ପରବର୍ତ୍ତୀ ଭାରତର ପ୍ରତିରକ୍ଷା ପ୍ରସ୍ତୁତି କ୍ଷେତ୍ରରେ ପିଏକ୍ସଇର ଅବଦାନ ଏବଂ ଜାତୀୟ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାର ଅନୁସରଣ ପାଇଁ ‘ଡିଆରଡିଓ’ର ଭୂମିକା” ଶୀର୍ଷକରେ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସ୍ଥାପନା ଦିବସ ଉପଲକ୍ଷେ ନିକଟ ଅତୀତରେ ସ୍ୱଚ୍ଛ ସବୁଜ ଅଭିଯାନରେ ୧୨୭ରୁ ଅଧିକ ଫଳ ଓ ଔଷଧୀୟ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଏହା ବ୍ୟତୀତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଦି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ପିଏକ୍ସଇର ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏଥି ସହିତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଏଥିରେ ଅତିଥିମାନେ ପୁରସ୍କୃତ କରିଥିଲେ । ସଭାପରେ ପିଏକ୍ସଇ କର୍ମଚାରୀ ପରିବାରଙ୍କ ପକ୍ଷରୁ ଆକର୍ଷୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।