ପିଏମ୍ କେୟାର୍ସ ଫଣ୍ଡକୁ ଦାନ ପାଇଁ ବିଜେପିର ଅଭିଯାନ
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ କେୟାର୍ସ ଫଣ୍ଡ ଗଠନ କରାଯାଇଛି । ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଏହି ଫଣ୍ଡକୁ ୧୦୦ ଟଙ୍କାର ସହାୟତା ରାଶି ପଠାଇବା ସହ ଆଉ ୧୦ ଜଣଙ୍କୁ ଦାନ କରିବା ନିମନ୍ତେ ପ୍ରବର୍ତ୍ତାଇବା ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆହ୍ୱାନ ଦେଇଛନ୍ତି । ଏହି ଆହ୍ୱାନ ଗ୍ରହଣ କରି ସହାୟତା ରାଶି ପଠାଇବା ପାଇଁ ରାଜ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ସଭାପତି ସମୀର ମହାନ୍ତି ନିବେଦନ କରିଛନ୍ତି । କାର୍ଯ୍ୟକର୍ତ୍ତାମାନଙ୍କୁ ଶ୍ରୀ ମହାନ୍ତି କହିଛନ୍ତି, ଏପରି ଏକ ସଂକଟ ଘଡ଼ିରେ ଆମେ ପିଏମ କେୟାର୍ସ ଫଣ୍ଡକୁ ଅତି କମରେ ୧୦୦ ଟଙ୍କା ଠାରୁ ଆରମ୍ଭ କରି ନିଜ ସାମର୍ଥ୍ୟ ଅନୁଯାୟୀ ଅର୍ଥ ରାଶି ପଠାଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା । ଏହା ସହ ଆମ ବନ୍ଧୁମାନଙ୍କୁ ଏହି ଫଣ୍ଡ ସମ୍ବନ୍ଧରେ ଅବଗତ କରାଇ ଅତି କମରେ ୧୦ ଜଣଙ୍କୁ ଦାନ କରିବା ପାଇଁ ଉତ୍ସାହିତ କରିବା । ଦେଶର କୋଣ ଅନୁକୋଣରୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଏହି ଫଣ୍ଡକୁ ଅର୍ଥ ପଠାଉଛନ୍ତି । ଏହି ସଂକ୍ରମଣକୁ ରୋକିବା ଦିଗରେ ସବୁ ସ୍ତରରେ ବିଭିନ୍ନ ପ୍ରୟାସ ଅବ୍ୟାହତ ରହିଛି । ଆମେ ଏହି ସଂକଟ ସମୟରେ ନିଜକୁ ସାମିଲ କରି ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ବୋଲି ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।