ପିଏମ୍ ସ୍ୱନିଧି ଅନ୍ଲାଇନ ଡ୍ୟାସ୍ବୋର୍ଡ ଉଦ୍ଘାଟିତ
ନୂଆ ଦିଲ୍ଲୀ:କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବ ଶ୍ରୀ ଦୁର୍ଗାଶଙ୍କର ମିଶ୍ର ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆଜି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟଭେଣ୍ଡର ଆତ୍ମନିର୍ଭର ନିଧି ବା ପିଏମ୍ ସ୍ୱନିଧି ଅନ୍ଲାଇନ ଡ୍ୟାସ୍ବୋର୍ଡକୁ ଉଦ୍ଘାଟନ କରିଛନ୍ତି ।
ଏହି ଅନ୍ଲାଇନ ଡ୍ୟାସ୍ବୋର୍ଡ ଉଭୟ ଡାଇନାମିକ୍ ଓ ଇଣ୍ଟରାକ୍ଟିଭ । ପିଏମ୍ ସ୍ୱନିଧି ଯୋଜନା ନଗର ସ୍ତରରେ କିପରି କାର୍ୟ୍ୟକାରୀ ହେଉଛି ତାହା ଜାଣିବା ପାଇଁ ଇଚ୍ଛୁକ ସମସ୍ତ ସଂପୃକ୍ତ ପକ୍ଷଙ୍କୁ ସବୁ ପ୍ରକାର ସୂଚନା ଏହା ୱାନଷ୍ଟପ୍ ବ୍ୟବସ୍ଥାରେ ଯୋଗାଇଦେବାକୁ ସକ୍ଷମ । ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ପାଇଁ ୨୦୨୦ ଜୁଲାଇ ୨ ତାରିଖରୁ ଏହାର ପୋର୍ଟାଲରେ ଆବେଦନପତ୍ର ଆହ୍ୱାନ କରାଯିବା ପରେ ଏଯାବତ୍ ୭.୧୫ ଲକ୍ଷ ଆବେଦନପତ୍ର ମିଳିଛି । ସେଥିମଧ୍ୟରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧.୭୦ ଲକ୍ଷ ଆବେଦନକୁ ଅନୁମୋଦନ କରାଯାଇଛି ।
ପିଏମ୍ ସ୍ୱନିଧି ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଚଳିତବର୍ଷ ଜୁନ୍ ୧ ତାରିଖରେ ଆରମ୍ଭ ହୋଇଥିଲା । କରୋନା ମହାମାରୀ ଯୋଗୁଁ ଯେଉଁ ଷ୍ଟ୍ରିଟଭେଣ୍ଡରମାନେ ସେମାନଙ୍କର ବେପାର ହରାଇଥିଲେ ଏବଂ ପୁଞ୍ଜି ଅଭାବରୁ ପୁନର୍ବାର ତାହା ଆରମ୍ଭ କରିବାକୁ ସକ୍ଷମ ହେଉନାହାନ୍ତି ସେମାନଙ୍କ ପାଇଁ ଏହି ଯୋଜନା କାର୍ୟ୍ୟକାରୀ ହୋଇଛି । ୫୦ ଲକ୍ଷରୁ ଅଧିକ ଷ୍ଟ୍ରିଟଭେଣ୍ଡରଙ୍କୁ ଉପକୃତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୨୦ ମାର୍ଚ୍ଚ ୨୪ ତାରିଖ ପୂର୍ବରୁ ଯେଉଁ ଲୋକମାନେ ରାସ୍ତାରେ ବେପାର ବଣିଜ କରୁଥିଲେ ସେହିଭଳି ଲୋକଙ୍କୁ ଏହି ସହାୟତା ମିଳିବ । ସହରାଞ୍ଚଳ ସମେତ ସହରତଳି ଅଞ୍ଚଳ ଏବଂ ଗ୍ରାମାଞ୍ଚଳର ବୁଲା ବେପାରୀମାନେ ମଧ୍ୟ ଏହି ସୁବିଧା ପାଇବେ । ପିଏମ୍ ସ୍ୱନିଧି ଯୋଜନା ଅନୁସାରେ ଆବେଦନକାରୀ ଭେଣ୍ଡରମାନେ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ କାର୍ୟ୍ୟକାରୀ ପୁଞ୍ଜି ଋଣ ଆକାରରେ ବ୍ୟାଙ୍କରୁ ପାଇବେ । ଏହି ଅର୍ଥକୁ ଏକ ବର୍ଷ ମଧ୍ୟରେ କିସ୍ତି ଆକାରରେ ଶୁଝିବାକୁ ପଡିବ । ଯେଉଁମାନେ ଠିକ୍ ସମୟରେ ବା ଆଗୁଆ ଋଣ ପରିଶୋଧ କରିବେ ସେମାନଙ୍କୁ ବାର୍ଷିକ ୭ ଶତାଂଶ ସୁଧ ସବ୍ସିଡି ମିଳିବ । ଏହି ସୁଧ ସବ୍ସିଡି ଅର୍ଥ ଡିବିଟି ବ୍ୟବସ୍ଥାରେ ସିଧାସଳଖ ହିତାଧିକାରୀଙ୍କ ଖାତାକୁ ପ୍ରତି ୩ ମାସରେ ଥରେ ଯିବ । ଋଣ ନେଇ ଆଗୁଆ ପରିଶୋଧ କରିଦେଲେ କୌଣସି ଜୋରିମାନା ବ୍ୟବସ୍ଥା ନାହିଁ । ଏହି ଯୋଜନାରେ ଡିଜିଟାଲ ଟ୍ରାଞ୍ଜକ୍ସନକୁ ପ୍ରୋତ୍ସାହିତ କରାଯାଇଛି । ଯେଉଁମାନେ ଡିଜିଟାଲ କାରବାର କରିବେ ସେମାନଙ୍କୁ ମାସିକ ଏକଶହ ଟଙ୍କା କ୍ୟାଶବ୍ୟାକ ଆକାରରେ ପୁରସ୍କାର ସ୍ୱରୂପ ମିଳିବ । ଏହି ଯୋଜନାର ଲାଭ ଉଠାଇ ଭେଣ୍ଡରମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।