ପିଏଲଆଇ ଓ ଆରପିଏଲଆଇ ପ୍ରିମିୟମ ପଇଠ ଅବଧି ୩୦ ଏପ୍ରିଲ, ୨୦୨୦ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ  : କରୋନା ଭୂତାଣୁ (କୋଭିଡ-୧୯)ର ବୃଦ୍ଧି ପାଉଥିବା ପ୍ରକୋପ କାରଣରୁ ସୃଷ୍ଟ ବିପଦ ଏବଂ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସ୍ଥିତିକୁ ଆଖି ଆଗରେ ରଖି ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗର ଡାକ ଜୀବନ ବୀମା (ପିଏଲଆଇ) ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଚ୍ଚ ୨୦୨୦ ସୁଦ୍ଧା ଦେୟଯୋଗ୍ୟ ନିର୍ଦ୍ଦିଷ୍ଟ ପ୍ରିମିୟମର ପଇଠ ଅବଧି ବୃଦ୍ଧି କରାଯାଇଛି । ଏହାକୁ ୩୦ ଏପ୍ରିଲ, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ଏଥିପାଇଁ କୌଣସି ଜୋରିମାନା ଓ ଡିଫଲ୍ଟ ଶୁଳ୍କ ଆଦାୟ କରାଯିବ ନାହିଁ। ପିଏଲଆଇ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଜରୁରି ସେବାର ଅଂଶବିଶେଷ ହୋଇଥିବା ଦୃଷ୍ଟିରୁ ଅଧିକାଂଶ ଡାକଘର ଲକଡାଉନ ସମୟରେ ମଧ୍ୟ କାର୍ଯ୍ୟକ୍ଷମ ରହିଛି । କିନ୍ତୁ ଡାକ ଜୀବନ ବୀମା, ଗ୍ରାମୀଣ ଡାକ ଜୀବନ ବୀମା (ଆରପିଏଲଆଇ) ଗ୍ରାହକମାନେ ସେମାନଙ୍କ ପ୍ରିମିୟମ ପଇଠ କରିବା ଲାଗି ଡାକ ଘରକୁ ଯାଇପାରୁନାହାନ୍ତି। ତେଣୁ ସମସ୍ତ ପିଏଲଆଇ/ଆରପିଏଲଆଇ ଗ୍ରାହକମାନଙ୍କ ଅସୁବିଧାକୁ ଧ୍ୟାନରେ ରଖି ପଇଠ ଅବଧି ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ଫଳରେ ଚଳିତ ମାସ ପ୍ରିମିୟମ ପଇଠ କରିବାକୁ ସକ୍ଷମ ହେଉନଥିବା ୧୩ ଲକ୍ଷ ବୀମାଧାରୀ (୫.୫ ଲକ୍ଷ ପିଏଲଆଇ ଏବଂ ୭.୫ ଲକ୍ଷ ଆରପିଏଲଆଇ) ଉପକୃତ ହୋଇପାରିବେ। ଗତ ମାସ ପ୍ରିମିୟମ ପଇଠ କରିଥିବା ପାଖାପାଖି ୪୨ ଲକ୍ଷ ବୀମାଧାରୀଙ୍କ ତୁଳନାରେ ଚଳିତ ମାସ ମାତ୍ର ୨୯ ଲକ୍ଷ ବୀମାଧାରୀ ବର୍ତ୍ତମାନସୁଦ୍ଧା ପ୍ରିମିୟମ ଦାଖଲ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହାବ୍ୟତୀତ ପୋର୍ଟାଲରେ ପଞ୍ଜିକୃତ ଗ୍ରାହକମାନଙ୍କୁ ‘ପିଏଲଆଇ ଗ୍ରାହକ ପୋର୍ଟାଲ’ର ଉପଯୋଗ କରି ଅନଲାଇନ ପ୍ରିମିୟମ ପଇଠ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ