ପିଓକେ ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ :ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)କୁ ଭାରତକୁ ଫେରାଇ ଆଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଏଥିଲାଗି ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇରହିଛି । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ । ସରକାରଙ୍କ ନିଷ୍ପତ୍ତି ମିଳିବା ମାତ୍ରେ ପାକିସ୍ତାନ ପଞ୍ଝାରୁ ପିଓକେକୁ ଛଡ଼ାଇଅଣାଯିବ ବାଲି ଗୁରୁବାର ସ୍ଥଳ ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତ୍ ସ୍ପଷ୍ଟ କରିଛନ୍ତି । ଫଳରେ ପିଓକେ ହାତରୁ ଖସିଯିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଭୟ ଓ ଆଶଙ୍କା ଏବେ ଦୃଢ଼ୀଭୂତ ହେବାରେ ଲାଗିଛି । ପିଓକେକୁ ଫେରାଇଆଣି ଭାରତର ଅଂଶ ଭାବେ ମାନଚିତ୍ରରେ ସ୍ଥାନିତ କରିବା କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟସୂଚୀ ବାଲି ବୁଧବାର ମୋଦି ସରକାରଙ୍କ ୧୦୦ ଦିନର ସଫଳତା ନେଇ ଗଣମାଧ୍ୟମକୁ ଅବଗତ କରାଇବାବେଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଥିଲେ । ଖବରଦାତାଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଗୁରୁବାର ଜେନେରାଲ ରାୱତ୍ କହିଛନ୍ତି, ପିଓକେ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ । ସରକାରଙ୍କ ନିର୍ଦ୍ଦେଶକୁ ସଂସ୍ଥାଗୁଡ଼ିକ କାର୍ଯ୍ୟକାରୀ କରିବେ । ସେନା ସବୁ ପ୍ରକାର ପଦକ୍ଷେପ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ସେହିପରି ପାକିସ୍ତାନ ବର୍ହି ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍ କୁରେଶୀ ଜମ୍ମୁ-କଶ୍ମୀରକୁ ଭାରତର ଏକ ରାଜ୍ୟ ଭାବେ ଜାତିସଂଘ ନବାଧିକାର ପରିଷଦ ଅଧିବେଶନରେ କହିବା ନେଇ ରାୱତ୍ଙ୍କ ପ୍ରତିକ୍ରିୟା ଲାଡ଼ାଯାଇଥିଲା । ରାୱତ୍ କହିଛନ୍ତି, ଏହି ବାସ୍ତବତାକୁ ପାକିସ୍ତାନ ସ୍ୱୀକାର କରିଥିବାରୁ ଆମେ ଖୁସି । ଅନୁଚ୍ଛେଦ ୩୭୦ ହଟାଯିବା ନିଷ୍ପତ୍ତି ଜମ୍ମୁ-କଶ୍ମୀର ହିତରେ ନିଆଯାଇଛି ।


