ପିଙ୍କିଙ୍କୁ ବିରୋଧ ଉତ୍ତମ ବାହିନୀର ସାମ୍ବାଦିକ ସମ୍ମିଳନୀ

ଦିଗପହଣ୍ଡି : ଦିଗପହଣ୍ଡି ବିଧାନ ସଭା ଆସନରୁ ବିଜେପି ବିଧାୟିକା ପ୍ରାର୍ଥୀ ଭାବେ ପିଙ୍କି ପ୍ରଧାନଙ୍କୁ ମନୋନୀତ କରାଯାଇଥିବା ଦଳ ପକ୍ଷରୁ ଘୋଷଣା ହୋଇଥିବା ଜଣାପଡିଛି । ଏହି ଘୋଷଣାନାମା ପରେ ଦିଗପହଣ୍ଡି ବିଜେପି ମହଲରେ ତୁମ୍ବି ତୁଫାନ୍ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଶନିବାର ପୂର୍ବାହ୍ନରେ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜେପି କର୍ମୀ ଓ ଉତ୍ତମ ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଦଳ ପାଇଁ ତୃଣ ମୂଳ ସ୍ତରରେ ସଙ୍ଗଠନ କରିଆସିଥିବା ବିଜେପି ନେତା ଇଂ ଉତ୍ତମ କୁମାର ପାଣିଗ୍ରାହୀଙ୍କୁ ଦଳ ପକ୍ଷରୁ ଟିକଟ ନମିଳିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜ୍ୟ ଓ କେନ୍ଦ୍ର ସ୍ତରୀୟ ଦଳୀୟ ନେତୃବୃନ୍ଦ ପୁନର୍ବାର ବିଚାର କରି ଉତ୍ତମଙ୍କୁ ଦିଗପହଣ୍ଡି ବିଧାନ ସଭା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ପ୍ରଦାନ କରିବା ପାଇଁ ଦାବୀ କରାଯାଇଥିଲା । ନତୁବା ସମୁହ କର୍ମୀ ଇସ୍ତଫା ଦେବା ସହିତ ସ୍ୱାଧିନ ପ୍ରାର୍ଥୀ ଭାବେ ଦିଗପହଣ୍ଡି ବିଧାନ ସଭା ଆସନରୁ ନିର୍ବାଚନ ଲଢିବା ପାଇଁ ଉତ୍ତମ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କର୍ମୀ ମାନେ ମତ ବ୍ୟକ୍ତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉତ୍ତମଙ୍କ ସମେତ ରଘୁନାଥ ସାମନ୍ତରାୟ, ଦିଲ୍ଲୀପ ପ୍ରଧାନ, ସନ୍ତୋଷ ସାହୁ, ଅଶ୍ୱିନୀ ବିଷୋୟୀ, ଅଶୋକ ପ୍ରଧାନ, ପିଣ୍ଟୁ ପଣ୍ଡା, ଚନ୍ଦନ ମହାରଣା, ପ୍ରଦୀପ ଦାସ, ରଞ୍ଜନ କୁମାର ସାହୁ ପ୍ରମୁଖଙ୍କ ସମେତ ବହୁ ସମର୍ଥକ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଉତ୍ତମ ବାହିନୀ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଓ ବିକ୍ଷୋଭ କାର୍ଯ୍ୟକ୍ରମକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ବୋଲି ଜିଲା ଉପସଭାପତି ପରେଶ ଚନ୍ଦ୍ର ରଥ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ଦଳୀୟ ନିଷ୍ପତ୍ତିକୁ ବିରୋଧ କରି ବିଶୃଙ୍ଖଳା ସୃଷ୍ଟି କରାଯାଉଥିବା ବେଳେ ସ୍ଥାନୀୟ ନେତୃବୃନ୍ଦଙ୍କ ବିନା ଅବଗତିରେ ବିଶୃଙ୍ଖଳା କାର୍ଯ୍ୟକ୍ରମ ମାନ କରାଯାଉଛି ବୋଲି ସେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ