ପିଡିଏସ ସାମଗ୍ରୀ ହରି ଲୁଟ୍ ଘଟଣାର ତଦନ୍ତ ଆରମ୍ଭ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବାଲାଗୋଡା ଗ୍ରାମପଂଚାୟତରେ ବାୟୋମେଟ୍ରିକ ମେସିନରେ ଖାଉଟି ମାନଙ୍କ ଠାରୁ ଟିପ ଚିହ୍ନ ଠକେଇ କରି ପିଡିଏସ ସାମଗ୍ରୀ ହରିଲୁଟ ହେଉଥିବା ନେଇ ଅଭିଯୋଗ ହେବା ପରେ ଯୋଡା ବ୍ଲକ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଏହାର ସତ୍ୟାସତ୍ୟ ପାଇଁ ପଦକ୍ଷେପ ନିଆଯାଇଛି । ଯୋଡା ବ୍ଲକ ବିଡିଓ ଯୋଗେନ୍ଦ୍ର ନାଏକ ଅଭିଯୋଗକୁ ଆଧାର କରି ସଂପୃକ୍ତ ବାଲାଗୋଡା ଗ୍ରାମପନଚାୟତ ନିର୍ବାହୀ ଅଧିକାରୀଙ୍କୁ ଚିଠି କରିବା ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶାନୁଯାୟୀ ବାଲାଗୋଡା ପନଚାୟତ ନିର୍ବାହୀ ଅଧିକାରୀ ପୁରୁଷୋତମ ସାହୁଙ୍କୁ ଏହାର ସତ୍ୟାସତ୍ୟ ଉପରେ ସ୍ପଷ୍ଟୀକରଣ ଦେବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଏ ସମ୍ପର୍କରେ ଯୋଡା ବିଡିଓ ଯୋଗେନ୍ଦ୍ର ନାଏକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଉକ୍ତ ଅଭିଯୋଗ ଅନୁଯାୟୀ ଏହାର ତଦନ୍ତ କରାଯିବ , ଯଦି ଅଭିଯୋଗଗୁଡିକ ସତ୍ୟ ପ୍ରମାଣିତ ହୁଏ , ତେବେ ସଂପୃକ୍ତ ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହିତ ବିଡିଓଙ୍କ ନିକଟରେ ଅଭିଯୋଗକାରୀ ହିତାଧିକାରୀମାନେ ଉପସ୍ଥିତ ରହି ଲିଖିତ ଭାବେ ଅଭିଯୋଗ କରିବାକୁ ସେ କହିଥିଲେ । ଏଠାରେ ସୂଚନା ଯୋଗ୍ୟ କି, ଗତ ତା୧୯/୧୧/୨୦୧୯ ରିଖରେ ବାଲାଗୋଡା ଗ୍ରାମପନଚାୟତର କିଛି ମହିଳା ହିତାଧିକାରୀମାନେ ରାସନକାର୍ଡର ପିଡିଏସ ସାମଗ୍ରୀରେ ଠକେଇ କରି ଦୁର୍ନିତି କରୁଥିବା ଅଭିଯୋଗ କରି ଯୋଡା ବ୍ଲକ ଯୋଗାଣ ନିରିକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ ହେଁ , ଯୋଗାଣ ନିରୀକ୍ଷକ ଅନୁପସ୍ଥିତ ଥିବା ଯୋଗୁ ସେମାନେ ଲିଖିତ ଅଭିଯୋଗ କରିପାରିନଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଖବରଦାତାଙ୍କୁ ଅଭିଯୋଗ କରିଥିଲେ । ତେବେ ଅଭିଯୋଗକାରୀମାନେ ଶନିବାର କହିଛନ୍ତି ଯେ, ଆସନ୍ତା ସୋମବାର ଦିନ ଏହି ହରିଲୁଟ୍ ସମ୍ପର୍କରେ ବ୍ଲକକୁ ଯାଇ ବିଡିଓଙ୍କୁ ପୁନଃ ଲିଖିତ ଅଭିଯୋଗ କରିବେ ।


