ପିଣ୍ଡଳ ଠାରେ ହେବ ଦଶ ଦୋଳ ମେଳଣ
ନିମାପଡା, (ସନ୍ତୋଷ ଦାଶ):ପବିତ୍ର ଦୋଳ ଉତ୍ସବ ପାଇଁ ପ୍ରାଚୀ ଉପତ୍ୟକା ର ନୟାହାଟ ର ଆଖପାଖ ଅଞ୍ଚଳ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଦେସ୍ଥଳି ପଞ୍ଚାୟତ ର ପିଣ୍ଡଳ ଠାରେ ରବିବାର ସଂଧ୍ୟା ରେ ଆଖପାଖ ୧୦ ଟି ଗାଁ ର ଦୋଳ ମଧ୍ୟରେ ମେଳଣ ଅନୁଷ୍ଠିତ ହେବ। ଏହି ଦୋଳ ମେଳଣ ଭାଇଚାରା ର ନିଦର୍ଶନ ଭାବେ ରହି ଆସିଛି କାହିଁ କେଉଁ କାଳରୁ ବୋଲି କହିଛନ୍ତି ବଉଲାଙ୍ଗ ପଞ୍ଚାୟତ ର ପୂର୍ବତନ ସରପଂଚ କମଳାକାନ୍ତ କୁଅଁର।ନିକଟସ୍ଥ ଓଟର, ସିମିଳି, ବରିମୁଣ୍ଡ,ସୋମଣା ଶାସନ,ବଣହରା, ତିରୁଣା,କଣ୍ଟି,ଦୂର୍ଗେଶ୍ୱର, ବଉଲାଙ୍ଗ ପ୍ରଭୃତି ଗାଁ ର ରାଧା କୃଷ୍ଣ ଯୁଗଳ ମୂର୍ତ୍ତି ଚତୁର୍ଦ୍ଦଶୀ ତିଥି ରେ ସ୍ୱ ସ୍ୱ ସୁ ସଜ୍ଜିତ ବିମାନ ରେ ଉପବେଶନ କରି ବିଭିନ୍ନ ସ୍ଥାନରେ ବସା ଓ ଦ୍ଵାରୀ ଭୋଗ ଖାଇ ଖାଇ ସଂଧ୍ୟାରେ ପିଣ୍ଡଳ ଗ୍ରାମ ମଧ୍ୟସ୍ଥ ଠାକୁରାଣୀ ପଡ଼ିଆ ଠାରେ ପହଞ୍ଚନ୍ତି।ପ୍ରଥମେ ଥାନପତି ସୋମଣା ଶାସନ ଗାଁ ର ଠାକୁର ଙ୍କ ବିମାନ ପଡ଼ିଆ ରେ ବସିବା ପରେ ଅନ୍ୟ ଠାକୁର ମାନେ ବସିଥାନ୍ତି। ଏହା ପରେ ଦଶ ଦୋଳ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇଥାଏ। ମେଳଣ ପରେ ଠାକୁର ମାନେ ନିଜ ଗାଁ କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଦୋଳ ମେଳଣ ପାଇଁ ସେଠାରେ ମେଳା ବସିଥାଏ। ହଜାର ହଜାର ଲୋକ ସମବେତ ହୋଇ ଏହି ମେଳଣ କୁ ଉପଭୋଗ କରିଥାନ୍ତି।


