ପିତଳରେ ୪ଭାଇଙ୍କୁ ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା
ହିଂଜିଳିକାଟୁ, (ଶେଷଦେବ ସାହୁ) :-ବୃଦ୍ଧ ଅବସ୍ଥାରେ ବାପା ଓ ମା’ଙ୍କ ମୁହଁରେ ହସ ଫୁଟାଇବା ସହ ନିଜ ପେଟ ଚାଖଣ୍ଡଙ୍କ ପାଇଁ ମୁଠାଏ ଦାନା ଯୋଗଡ କରିବାକୁ ପିତଳ ଗାଁ ଛକରେ କରିଥିଲେ ଫାଷ୍ଟଫୁଡ ଦୋକାନ । ସବୁ ଦିନ ଭଳି ମଙ୍ଗଳବାର ଦୋକାନ ଖୋଲିବାକୁ ଯାଇଥିଲେ ସତ ହେଲେ ମଙ୍ଗଳବାର ଆଉ ଘରକୁ ଫେରିନଥିଲେ । ବୁଧବାର ରାତିରେ ଘରକୁ ଫେରିଥିଲା ୪ ପୁଅଙ୍କ ମରଶରୀର । ସାମାନ୍ୟ କମେଂଟ ମରାକୁ କେନ୍ଦ୍ର କରି ମଙ୍ଗଳବାର ରାତିରେ ସଂଘବଦ୍ଧ ଆକ୍ରମଣରେ ହିଂଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ପୁଅ ଓ ଜଣେ ପୁତୁରାଙ୍କ ମୃତ୍ୟୁ ଘଟିଥିଲା । ଏଭଳି ଏକ ବର୍ବୋଚିତ ହତ୍ୟା ଘଟଣା ସଂପୃକ୍ତ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ବୁଧବାର ୪ଭାଇଙ୍କ ଚିତା ଲିଭି ଯାଇଥିଲେ ମଧ୍ୟ ପୁଅଙ୍କୁ ହରାଇଥିବା ବାପା ମା’ଙ୍କ ଆଖିରୁ ଲୁହ ଏଯାଏଁ ଶୁ୍ଖିନଥିବା ଦେଖିବାକୁ ମିଳିଛି । ବୁଧବାର ରାତିୟ ପ୍ରାୟ ୧୦ଟାରେ ଶବ ବ୍ୟବଛେଦ ପରେ ଶୋକାକୂଳ ପରିବେଶ ମଧ୍ୟରେ ଶବଦାହ କରାଯାଇଥିଲା । ପ୍ରକାଶ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ହିଂଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା, ପାଣ୍ଡବ, ଶମ୍ଭୁ ସମେତ ବଉଳଘାଇ ଗ୍ରାମର ପୁତୁରା ଚନ୍ଦନ ପିତଳ ଛକରେ କରିଥିବା ଫାଷ୍ଟପୁଡ ଦୋକାନରେ ଥିଲେ । ହିଂଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମର ଅମିୟ ସ୍ୱାଇଁ ଓରଫ୍ ସାଧୁ ଓ କିଛି ସହଯୋଗୀ ଫାଷ୍ଟଫୁଡ ଦୋକାନରେ ଖାଇବା ସମୟରେ ସାମାନ୍ୟ କମେଂଟକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ସାଧୁ ଓ ସହଯୋଗୀ ମାନେ ଖଣ୍ଡା, ଲୁହାରଡ୍ ଓ ବିଭିନ୍ନ ମାରଣାସ୍ତ୍ର ଧରି ୪ ଭାଇଙ୍କୁ ଅର୍ତକିତ ଆକ୍ରମଣ କରିଥିଲେ । ୩ ଭାଇଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚନ୍ଦନଙ୍କ ଅବସ୍ଥା ଗୁରୁତର ରହିଥିଲା । ଅନ୍ୟପକ୍ଷରେ ଆକ୍ରମଣକାରୀ ତଥା ମୁଖ୍ୟ ଅଭିଯୁକ୍ତ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ବର୍ତମାନ ସୁଦ୍ଧା ଚିକିତ୍ସିତ ହେଉଛନ୍ତି । ବ୍ରହ୍ମପୁର ବଡ ଡକ୍ତରଖାନାରେ ସାଧୁଙ୍କୁ ପୁଲିସ ଜଗି ବସିଛି । ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେବା ସମୟରେ ବାଟରେ ମୃତ୍ୟୁ ଘଟିଥିଲା । ଖବର ପାଇଁ ଆସିକା ଏସଡିପିଓ, ଆସିକା ,ଶେରଗଡ, ପାଟପୁର, ହିଂଜିଳି ଆଇଆଇସିଙ୍କ ସମେତ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପଂହଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ମଙ୍ଗୁଳୁଙ୍କ ଅଭିଯୋଗ ଭିତିରେ ହିଂଜିଳି ଥାନାରେ ନଂ- ୧୪୧/୨୨ରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ବୁଧବାର ସକାଳ ୯ଟାରୁ ସନ୍ଧ୍ୟା ୭ଟା ପ୍ରାୟ ସାଢେ ୧୦ ଘଂଟା ଧରି ପିତଳ ଛକରେ ୫୯ନଂ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଗଂଜାମ ଆରକ୍ଷୀ ଅଧିକ୍ଷକ ବିଜ୍ରେଶ କୁମାର ରାୟ ଘଟଣା ସ୍ଥଳରେ ପଂହଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଓ ଦାବିକୁ ସମର୍ଥନ ପରେ ରାସ୍ତାରୋକ ହଟିଥିଲା । ହେଲେ ଅଭିଯୁକ୍ତ ମାନେ ଗିରଫ ନହେବା ପର୍ଯ୍ୟନ୍ତ ପିତଳ ଛକରେ ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବାକୁ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ମାନେ କହିଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ସାଧୁ ନାମରେ ପୂର୍ବରୁ ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ରାହାଜାନି, ଡବଲ ମର୍ଡର, ହତ୍ୟା , ନାବାଳିକାଙ୍କୁ ବଳି ଉଦ୍ୟମ ଭଳି ବହୁ ସଙ୍ଗୀନ ଅପରାଧରେ ଜଡିତ ଥିବା ହିଂଜିଳି ଥାନା ଆଇଆଇସି ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ ସାଧୁ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ କିଛି ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖିଥବା ଜଣାପଡିଛି । ତଦନ୍ତରେ ବାଧା ଉପୁଜିବା ନେଇ ପୁଲିସ କୌଣସି ସୂଚନା ପ୍ରଦାନ କରିବାକୁ ମନା କରିଛି ।


