ପିତାଙ୍କ ପୈତୃକ ସମ୍ପତ୍ତିରେ ଝିଅ ସମାନ ଅଧିକାରିଣୀ
ନୂଆଦିଲ୍ଲୀ, (ଏଜେନ୍ସି): ସାଧାରଣତଃ ପିତାଙ୍କ ସମ୍ପତ୍ତିରେ ପୁଅର ସମ୍ପୂର୍ଣ୍ଣ ଅଧିକାର ଥାଏ, ହେଲେ ଏବେ ଝିଅମାନେ ବି ଏଥିରେ ସମାନ ହକ୍ଦାର୍ ବୋଲି ପ୍ରକାଶ କରାଯାଇଛି । ସରକାର ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୧୯୫୬ରେ ଆର୍ଥିକ ବର୍ଷ ୨୦୦୫ରେ ସଂଶୋଧନ କରି ଝିଅମାନଙ୍କୁ ପିତାଙ୍କ ପୈତୃକ ସମ୍ପତ୍ତିରେ ସମାନ ହକ୍ ପାଇବାର ଆଇନଗତ ଅଧିକାର ଦେଇଛନ୍ତି । ଏହି ଆଇନ୍ରେ ସଂଶୋଧନ ହେବା ଦ୍ୱାରା ଝିଅମାନେ ନିଜ ପିତାଙ୍କ ପୈତୃକ ସମ୍ପତ୍ତିରେ ହକ୍ ନେଇପାରିବେ । ସେହିପରି ପିତା, ଭାଇ ତଥା ଅନ୍ୟ ସମ୍ପର୍କୀୟ ଏହାକୁ ଦେବାକୁ ମନା କରିପାରିବେନି ବୋଲି ଏଥିରେ ଉଲ୍ଲେଖ ହୋଇଛି । ପ୍ରକାଶ ଯେ ହିନ୍ଦୁ ଆଇନ୍ରେ ସମ୍ପତ୍ତିକୁ ପୈତୃକ ଓ ସ୍ୱଅର୍ଜିିତ ସମ୍ପତ୍ତି ଭାବେ ଦୁଇଟି ଶ୍ରେଣୀରେ ବଣ୍ଟାଯାଇଛି । ପୈତୃକ ସମ୍ପତ୍ତି ଅଧିନରେ ୪ପିଢ଼ିର ପୂର୍ବ ଅର୍ଜିତ ସମ୍ପତ୍ତିକୁ ସାମିଲ କରାଯାଇଛି, ଯେଉଁ ସମ୍ପତ୍ତିର ବଣ୍ଟା ହୋଇନଥିବ । ଏହି ପ୍ରକାରର ସମ୍ପତ୍ତିରେ ଝିଅର ଜନ୍ମସିଦ୍ଧ ଅଧିକାର ରହିଛି । ତେଣୁ ସେ ଚାହିଁଲେ ସମ୍ପତ୍ତିରେ ଭାଗ ନେବାକୁ ଦାବି କରିପାରିବେ । ଆର୍ଥିକ ବର୍ଷ ୨୦୦୫ ପୂର୍ବରୁ ଏହି ପ୍ରକାରର ସମ୍ପତ୍ତିରେ କେବଳ ପୁଅକୁ ହିଁ ଅଧିକାର ମିଳୁଥିଲା, ହେଲେ ଆଇନ୍ରେ ସଂଶୋଧନ ହେବା ପରେ ଏବେ ସମାନ ଅଧିକାର ଝିଅଙ୍କୁ ମଧ୍ୟ ମିଳୁଛି । ଏହି ପ୍ରକାରର ସମ୍ପତ୍ତିରେ ଭାଗ ଦେବା ଦ୍ୱାରା ପିତା ମଧ୍ୟ ନିଜ ଝିଅକୁ ମନା କରିପାରିବେ ନାହିଁ । ପ୍ରକାଶ ଯେ ଯଦି କୌଣସି ପରିସ୍ଥିତିରେ ୱିଲ୍ (ଇଚ୍ଛାପତ୍ର) ନକରି ପିତାଙ୍କ ମୃତ୍ୟୁ ହୋଇଯାଏ ତେବେ ମଧ୍ୟ ଝିଅମାନଙ୍କୁ ତାଙ୍କ ପୈତୃକ ସମ୍ପତ୍ତିରେ ସମାନ ଅଧିକାର ମିଳିବ । ପ୍ରକାଶ ଯେ ହିନ୍ଦୁ ଉତ୍ତରାଧିକାରୀ ଆଇନ୍ରେ ପୁରୁଷ ଉତ୍ତରାଧିକାରୀଙ୍କୁ ୪ଟି ଶ୍ରେଣୀରେ ଭାଗ କରାଯାଇଛି । ଏହା ଅଧିନରେ ପିତାଙ୍କ ମୃତ୍ୟୁ ହେବା ସ୍ଥଳେ ପୁଅ, ଝିଅ, ବିଧବା ଓ ଅନ୍ୟ ଲୋକ ସମ୍ପୃକ୍ତ । ଅର୍ଥାତ୍ ଝିଅଙ୍କୁ ମଧ୍ୟ ପିତାଙ୍କ ମୃତ୍ୟୁ ହେବା ସ୍ଥଳେ ପୁଅଙ୍କ ପରି ସମାନ ଅଧିକାର ମିଳିଥାଏ । ୨୦୦୫ ପୂର୍ବରୁ ହିନ୍ଦୁ ଉତ୍ତରାଧିକାରୀ ଆଇନ୍ରେ ଝିଅଙ୍କୁ ବିବାହ ପୂର୍ବ ପର୍ଯ୍ୟନ୍ତ ହିଁ ହିନ୍ଦୁ ଅବିଭାଜିତ ପରିବାର (ଏଚ୍ୟୁଏଫ୍)ର ଅଂଶ ବୋଲି ଧରାଯାଏ । ତେବେ ୨୦୦୫ରେ ଆଇନ୍ରେ ହୋଇଥିବା ସଂଶୋଧନ ପରେ ଝିଅର ବିବାହ ହୋଇଥିଲେ ମଧ୍ୟ ସେ ସମ୍ପତ୍ତିର ସମାନ ଅଧିକାରୀ ବୋଲି ଗ୍ରହଣ କରାଯିବ । ଅର୍ଥାତ୍ ବିବାହ ପରେ ବି ଝିଅ ଚାହିଁଲେ ପିତାଙ୍କ ପୈତୃକ ସମ୍ପତ୍ତିରେ ଦାବି କରିପାରିବେ ଓ ଭାଗ ନେଇପାରିବେ । ପିତାଙ୍କ ଦ୍ୱାରା ନିଜସ୍ୱ ଆୟରୁ ଅର୍ଜିତ ସମ୍ପତ୍ତିକୁ ନେଇ ଝିଅଙ୍କ ପକ୍ଷ ଆଇନ୍ରେ ଦୁର୍ବଳ ରହିଛି । କାହିଁକି ନା ଏହିପରି ସ୍ଥିତିରେ ଝିଅଙ୍କୁ ଭାଗ ଦେବା ନଦେବା ପିତାଙ୍କ ନିଜସ୍ୱ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲୀ ଉଲ୍ଲେଖ ହୋଇଛି । ଆଇନ୍ ଅନୁସାରେ ଝିଅ ଏଥିରେ କୌଣସି ବି ଦାବି କରିପାରିବେନି ।