ପିତାନାଉରେ ପ୍ରଶାସନ ପକ୍ଷରୁ ପଲ୍ଲୀସଭା

ହାଟଡ଼ିହି,(ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହଦଗଡ ପଞ୍ଚାୟତର ପିତାନାଉ ସ୍କୁଲ ଠାରେ ପ୍ରଶାସନ ପକ୍ଷରୁ ଏକ ପଲ୍ଲୀସଭା ଅନୁଷ୍ଠିତ ହୋଇଯାଇଛି । ପିତାନାଉ ଠାରେ ବିସ୍ଥାପିତ ହୋଇ ରହିଥିବା ପରିବାର ଗୁଡିକୁ ହସ୍ତୀଅଭୟାରଣ୍ୟ ମଧ୍ୟରୁ ବାହାରକୁ ଆଣି ବିସ୍ଥାପନ କରିବା ପାଇଁ ଏହି ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା । ବ୍ଲକ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ପଲ୍ଲୀସଭାରେ ବିସ୍ଥାପିତ ହେବାକୁ ଇଛୁକ ଥିବା ୧୬ଟି ପରିବାର ଲୋକମାନେ ଯୋଗଦେଇ ଥିବାବେଳେ ଅନ୍ୟ ଗ୍ରାମବାସୀମାନେ ପଲ୍ଲୀସଭାକୁ ବର୍ଜନ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାଇ ଗତ ୨୭ତାରିଖରେ ଦଲକି, ପିତାନାଉ, ଜୁଣପସି ପ୍ରଭୃତି ତିନୋଟି ଗ୍ରାମର ଗ୍ରାମବାସୀମାନେ ଏକ ବୈଠକ ପାଇଁ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର, ବନ ବିଭାଗର ଅଧିକାରୀ ମାନଙ୍କୁ ଡକାଇଥିଲେ । ଏହି ବୈଠକରେ ଏହି ଅଞ୍ଚଳର ଲୋକମାନେ ଭୋଗୁଥିବା ସମସ୍ୟା ଓ ତାହାର ସମାଧାନ ଏବଂ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯିବାକୁ ଡକାଯାଇଥିଲା । ଗ୍ରାମବାସୀମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିକରି ବସିରହିଥିଲେ ମଧ୍ୟ କେହି ଅଧିକାରୀ ବୈଠକକୁ ଆସି ନଥିଲେ । ଯାହାଦ୍ୱାରାକି ସେମାନେ ଆଜିର ଏହି ପଲ୍ଲୀସଭାକୁ ବର୍ଜନ କରିବାକୁ ନିଷ୍ପତି ନେଇଥିଲେ ।
ହଦଗଡ ପଞ୍ଚାୟତର ସରପଞ୍ଚ ଅଶୋକ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଲ୍ଲୀସଭାରେ ଏ.ସି.ଏଫ ପ୍ରଫୁଲ କୁମାର ମଲ୍ଲିକ, ହଦଗଡ ରେଞ୍ଜର ସୁମିତ କୁମାର ମହାନ୍ତି, ଫରେଷ୍ଟର ଅନନ୍ତ ଚରଣ ପରିଡା, ଜିପିଓ ନବୀନ ଚନ୍ଦ୍ର ନାୟକ, ପିଇଓ ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅଭୟାରଣ୍ୟ ମଧ୍ୟରୁ ବିସ୍ଥାପିତ ହେଲେ ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ୧୦ଡିସିମିଲ ଜମି, ରହିବାପାଇଁ ଆବାସ ଯୋଜନାରେ ଘର, ପାନୀୟଜଳ, ରାସ୍ତା, ବିଜୁଳି, ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାସହ ସେମାନେ ପାଇଥିବା ଜଂଗଲଜମି ପଟ୍ଟାନୁଯାୟୀ ଏକର ପ୍ରତି ୧ଲକ୍ଷ ଲେଖାଏଁ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ଅଛି ବୋଲି ଏସିଏଫ ପ୍ରଫୁଲ କୁମାର ମଲ୍ଲିକ ସୁଚନା ଦେଇଥିଲେ । ସରକାରଙ୍କ ଏପରି ଯୋଜନା ସମ୍ପର୍କରେ ଜାଣିବାପରେ ସ୍ୱଇଛାରେ ୧୬ଟି ପରିବାର ପୁନଃ ବିସ୍ଥାପିତ ହେବାକୁ ସ୍ୱୀକାର କରି ସରକାରଙ୍କ ନିତୀ ନିୟମାନୁଯାଇ ବିସ୍ଥାପନ ପାଇଁ ଆବେଦନ କରିଥିଲେ । ଏଠାରେ ଥିବା ପରିବାର ଗୁଡିକ ୧୯୭୧ମସିହାରେ ହଦଗଡ ଶାଳନ୍ଦୀ ଡ୍ୟାମ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ଏହି ପାହାଡ ଜଂଗଲ ଘେରା ପିତାନାଉ, ଦଲକି, ଜୁଣପସି ପ୍ରଭୃତି ଗ୍ରାମ ମାନଙ୍କରେ ରହି ଆସୁଛନ୍ତି । ଏବେ ଏହାକୁ ଅଭୟାରଣ୍ୟ ଘୋଷଣା କରାଯିବା ପରେ ଜଂଗଲ ଭିତରୁ ଗ୍ରାମବାସୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯାଉଛି । କିନ୍ତୁ ଆଜିର ଏହି ପଲ୍ଲୀସଭାକୁ ଦଲକି, ଜୁଣପସି ଓ ପିତାନାଉ ଗ୍ରାମର ଅନ୍ୟ ଗ୍ରାମବାସୀମାନେ ଆସିନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ