ପିତୃପୁରୁଷ ଙ୍କୁ ଶ୍ରଦ୍ଧାଳୁଙ୍କ ପିଣ୍ଡଦାନ
ନିମାପଡା, (ସନ୍ତୋଷ ଦାଶ):ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ଦିନ କୁ ପିତୃପକ୍ଷ କୁହାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହି ପକ୍ଷରେ ପିତୃପୁରୁଷ ଙ୍କୁ ଶ୍ରାଦ୍ଧ ଅର୍ପଣ କଲେ ସେମାନେ ସନ୍ତୁଷ୍ଟ ହେବା ସହିତ ଆଶ୍ରିବାଦ ପ୍ରଦାନ କରିଥାନ୍ତି। ଏହି ବିଶ୍ୱାସର ବଶବର୍ତ୍ତୀ ହୋଇ ପିତୃପକ୍ଷ ରେ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଦେବା ବିଧି ଆମ ଓଡ଼ିଆ ସଂସ୍କୃତି ରେ ରହି ଆସିଛି। ଏଥିପାଇଁ ଶହ ଶହ ଶ୍ରଦ୍ଧାଳୁ ପରିବାର ପୂଣ୍ୟତୋୟା ପ୍ରାଚୀ ନଦୀ ର ବିଭିନ୍ନଘାଟ ( ତୀର୍ଥ ସ୍ଥଳୀ) ରେ ନିଜ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଅର୍ପଣ କରୁଛନ୍ତି। ଏଥି ସହିତ ଶ୍ରୀମଦ ଭାଗବତଗୀତା ର ସପ୍ତମ ଅଧ୍ୟାୟ ପାଠ କରୁଛନ୍ତି। ଏହାକଲେ ପିତୃ ପୁରୁଷ ଶାନ୍ତି ଲାଭ କରିଥାନ୍ତି। ଏଥି ପାଇଁ ପୂଣ୍ୟତୋୟା ପ୍ରାଚୀ ନଦୀ ର ଗୋ ତୀର୍ଥ (ଅମରେଶ୍ୱର) , ଅର୍କ ତୀର୍ଥ (ସମେଶ୍ୱର) , ଅଗ୍ନୀ ତୀର୍ଥ (ରାମେଶ୍ବର), ମୃତ୍ୟୁତୀର୍ଥ (ନିଭରଣ), ଅଙ୍ଗ ତୀର୍ଥ (ପିତାପଡ଼ା), ମଣି କର୍ଣିକା ତୀର୍ଥ (ବେଲେଶ୍ୱର), ପାଣ୍ଡବ ତୀର୍ଥ ( ମାଧବ), ମୋକ୍ଷ ତୀର୍ଥ (ତ୍ରିବେଣୀଶ୍ୱର), ଅପସରା ତୀର୍ଥ (ମୁଦୁଗଲ), ମୁକ୍ତିତୀର୍ଥ (ଡାଳୁଅକଣି), ଋଷି ତୀର୍ଥ ( ବିଶ୍ଵାମିତ୍ର ଆଶ୍ରମ), ନୃତ୍ୟ ତୀର୍ଥ ( ନାଶିକେଶ୍ୱର) ଠାରେ ଶ୍ରଦ୍ଧାଳୁ ପରିବାର ମାନେ ପିତୃ ପୁରୁଷ ଙ୍କୁ ପିଣ୍ଡଦାନ କରୁଛନ୍ତି । ଏହି ପିଣ୍ଡଦାନ କାର୍ଯ୍ୟ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ ।


