ପିନ୍ଧିହେବ ଡାଏଲିସିସ୍ ମେସିନ୍
କିଡ୍ନୀ ସମସ୍ୟା ଭୋଗୁଥିବା ଲୋକଙ୍କର ନିୟମିତ ବ୍ୟବଧାନରେ ଡାଏଲିସିସ୍ କରିବାକୁ ପଡ଼ିଥାଏ । ଏଥିପାଇଁ ରୋଗୀଙ୍କୁ ଡାକ୍ତରଖାନାକୁ ଯିବା ଲାଗି ପଡ଼ିଥାଏ । ଏବେ ସେମାନଙ୍କ ପାଇଁ ଖୁସି ଖବର । ଗବେଷକମାନେ ଏକ ପ୍ରକାର ନୂଆ ଡାଏଲିସିସ୍ ମେସିନ୍ ତିଆରି କରିବାକୁ ଯାଉଛନ୍ତି । ଏହାକୁ ସହଜରେ ପିନ୍ଧି ହେବ । କିଡ୍ନୀ ସମସ୍ୟା ଭୋଗୁଥିବା ବ୍ୟକ୍ତି ଜଣକ ନିଜର ଦୈନନ୍ଦିନ କାର୍ଯ୍ୟ କରୁଥିବାବେଳେ ଡାଏଲିସିସ୍ ଜାରି ରହିଥିବ ବୋଲି ଗବେଷକ କହିଛନ୍ତି । ଆମେରିକାର ୱାଶିଂଟନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗବେଷକ ଏହି ମେସିନ୍ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାକୁ ସହଜରେ ବ୍ୟବହାର ମଧ୍ୟ କରାଯାଇପାରିବ । ଫଳରେ ହସ୍ପିଟାଲକୁ ଯିବାଆସିବାରେ ସମୟ ଆଉ ନଷ୍ଟ ହେବ ନାହିଁ ବୋଲି ଗବେଷକ କହିଛନ୍ତି । ଏନେଇ ଇତିମଧ୍ୟରେ ୧୫ ଜଣ କିଡ୍ନୀ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ଉପରେ ପରୀକ୍ଷାମୂଳକ ପ୍ରୟୋଗ କରାଯାଇଛି । ଏହାର ଫଳାଫଳ ବେଶ୍ ଉତ୍ସାହଜନକ ଥିବା ଗବେଷକ ସୂଚନା ଦେଇଛନ୍ତି । ଅଧିକ ପରୀକ୍ଷଣ ପରେ ଏହି ମେସିନ୍କୁ ବଜାରକୁ ବିକ୍ରି ପାଇଁ ଛଡ଼ାଯିବ ।