ପିପିଲି ନିର୍ବାଚନୀ ହିଂସା, ମୃତକ ପାଣ୍ଡବଙ୍କ ପରିବାରକୁ ଭେଟିଲା ସମାଜବାଦୀ ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପିପିଲି ନିର୍ବାଚନୀ ହିଂସାରେ ବିଜେପି କର୍ମୀଙ୍କ ଦ୍ୱାରା ଗୁରୁତର ଆହତ ହୋଇ ତିିନିଦିନ କାଳ ବାଳକାଟୀ ଓ ୬ ନମ୍ବର ମେଡ଼ିକାଲରେ ଚିକିତ୍ସିତ ହୋଇ ପ୍ରାଣ ହରାଇଥିବା ଦଳିତ ଯୁବକ ପାଣ୍ଡବ ବେହେରାଙ୍କ ବିଧବା ପତ୍ନୀ ବନିତା, କଲେଜ ପଢୁଆ ପୁଅ ରାକେଶ ଓ ଝିଅ ମାନାଙ୍କୁ ଭେଟିଲା ସମାଜବାଦୀ ପାର୍ଟି ରାଜ୍ୟ କମିଟିର ଏକ ତିନିଜଣିଆ ତଥ୍ୟାନୁସନ୍ଧାନ ଦଳ । ପାର୍ଟିର ରାଜ୍ୟ ସଭାପତି ବେହେରାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ ନାରୀନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଜେନାପୁର ପଞ୍ଚାୟତର ଦେପୁର ଗ୍ରାମର ଅଧିବାସୀମାନଙ୍କ ସହିତ ଆଲୋଚନା କରିଥିଲେ । ବିଜେପି କର୍ମୀମାନେ ଦଳିତ ଭୋଟକୁ ହାତେଇବା ପାଇଁ ପାଣ୍ଡବ ଜରିଆରେ ଦେପୁର ଦଳିତ ସାହିକୁ ଭୋଜି କରି ଖାଇବା ପାଇଁ ୫ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଦଳିତ ସାହିର ଲୋକମାନେ ବିଜେଡ଼ି ଦଳକୁ ଭୋଟ ଦେବା ପାଇଁ ସ୍ଥିର କରିଥିବା ଯୋଗୁ ପାଣ୍ଡବ ଉକ୍ତ ୫ ହଜାର ଟଙ୍କାକୁ ଫେରାଇ ଦେଇଥିଲେ । ଟଙ୍କା ଦେଣ ନେଣକୁ କେନ୍ଦ୍ରକରି ବିଜେପି କର୍ମୀ ପେଜୁଆ ଷଡ଼ଙ୍ଗୀ, ଅମି ଷଡ଼ଙ୍ଗୀ ଓ ନାରଣ ଷଡ଼ଙ୍ଗୀ ପ୍ରମୁଖ ୧୧ ତାରିଖ ଦିନ ଦିନ ୧୧ ଘଟିକା ସମୟରେ ପାଣ୍ଡବଙ୍କୁ ନିସ୍ତୁକ ବିଧା, ଗୋଇଠା ମାରିବା ସହିତ ଏକ ନଡ଼ିଆ ବାହୁଙ୍ଗାରେ ଶକ୍ତ ଆଘାତ କରିଥିଲେ । ପାଣ୍ଡବ ତଳେ ପଡ଼ିଯିବା ପରେ ତାଙ୍କ ପେଟକୁ ବିଧା, ଗୋଇଠା ମାରିଥିଲେ । ଫଳରେ ତାଙ୍କ ମୁଣ୍ଡ ଫାଟି ବାନ୍ତି ହୋଇଥିଲା । ଘର ଲୋକମାନେ ପହଞ୍ôଚ ଯେତେ ନେହୁରା ହେଲେ ମଧ୍ୟ ଉକ୍ତ ତିନିଜଣ ପାଣ୍ଡବଙ୍କୁ ଛାଡ଼ି ନଥିଲେ । ଫଳରେ ଗୁରୁତର ଆହତ ହୋଇ ପାଣ୍ଡବ ପାଖ ଗାଁ ମଉନୀମଠର କୁନା ଭାଇନା ଦୋକାନରୁ କିଛି ଔଷଧ ଓ ଯନ୍ତ୍ରଣା ଲାଘବ ପାଇଁ ଇଞ୍ଜେକସନ ନେଇ ଘରକୁ ଫେରି ଆସିଥିଲେ । କିନ୍ତୁ ୧୨ ତାରିଖ ଦିନ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଲା । ତାଙ୍କୁ ସଙ୍ଗେ ସଙ୍ଗେ ତାଙ୍କ ଶଶ୍ୱରୂଘର ଲୋକେ ବାଳକାଟୀସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ । କିନ୍ତୁ ଅବସ୍ଥା ଆହୁରି ଗୁରୁତର ହେବାରୁ ଡ଼ାକ୍ତର ତୁରନ୍ତ ୬ ନମ୍ବର ମେଡ଼ିକାଲ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ୬ ନମ୍ବର ମେଡ଼ିକାଲରେ ନ ପହଞ୍ଚୁଣୁ ସେଠାକାର ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଣ୍ଡବଙ୍କ ମୃତ୍ୟୁ କେବଳ ଦୁଃଖଦାୟକ ନୁହେଁ, ନିଜକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଦେବାର ପ୍ରତିଶ୍ରୁତି ଦେଉଥିବା ବିଜେପି ଦଳର ଗୁଣ୍ଡାମୀର ଏକ ନଗ୍ନ ନମୂନା ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି । ‘ଘରେ ନ ପଶୁଣୁ ଚାଳ ବାଜିବା’ ନ୍ୟାୟରେ ବିଜେପି ଦଳ ଗଣତନ୍ତ୍ରକୁ ହତ୍ୟା କରି କ୍ଷମତା ଦଖଲ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖୁଛି ପିପିଲି ନିର୍ବାଚନ ମଣ୍ଡଳୀର ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲଘୁ ଶ୍ରେଣୀର ଭାଇଭଉଣୀମାନେ ଏକତ୍ରିତ ହୋଇ ଆଗାମୀ ଦିନରେ ଠିକଣା ଜବାବ ଦେବା ପାଇଁ ସମାଜବାଦୀ ପାର୍ଟି ନିବେଦନ କରୁଛି । ଏହା ବ୍ୟତୀତ ପାଣ୍ଡବଙ୍କ ମୃତ୍ୟୁ ପାଇଁ ଦାୟୀ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା, ମୃତ ପାଣ୍ଡବ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ମାଟ୍ରିକ ପାଶ୍ କରି ପ୍ରଥମବର୍ଷର ବିଜ୍ଞାନ ଛାତ୍ର ପୁଅ ରାକେଶ ଓ ଝିଅ ମାନାର ଭବିଷ୍ୟତ ଦାୟିତ୍ୱ ବିଜେପି ଦଳ ନେବା ପାଇଁ ତଥ୍ୟାନୁସନ୍ଧାନ କମିଟି ତରଫରୁ ଦାବି କରାଯାଇଛି । ଏହା ବ୍ୟତୀତ ନିର୍ବାଚନରେ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯେଉଁ ଉଦ୍ୟମ କରାଯାଉଛି ତାହାର ଏକ ବିଚାର ବିଭାଗୀୟ ତଦନ୍ତ କରିବାକୁ ଏହି ତଥ୍ୟାନୁସନ୍ଧାନ କମିଟି ପକ୍ଷରୁ ଦାବି କରାଯାଇଛି । ଆଗାମୀ ଦିନରେ ଏହାକୁ ନେଇ ସମାଜବାଦୀ ପାର୍ଟି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବ ବୋଲି ପାର୍ଟି ପକ୍ଷରୁ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ