ପିପୁଲସ କଲେଜରେ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର
ବୁଗୁଡା, (ଅନିଲ ମହାରଣା):ବୁଗୁଡା ପିପୁଲସ କଲେଜ ପରିସରରେ ସେପ୍ଟେମ୍ବର ୦୨ ତାରିଖ, ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ତିନି ଦିନିଆ କ୍ଲଷ୍ଟର ସ୍ତରୀୟ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରକୁ ପୋଲସରା ବିଧାୟକ, ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ରେଡକ୍ରସ ପତାକା ଉତ୍ତୋଳନ କରି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିବା ବେଳେ କଲେଜର ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଯୁବ ସ୍ବେଚ୍ଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଏହାପରେ ଅଧ୍ୟକ୍ଷ ଶ୍ରୀ ଦାଶଙ୍କ ସଭାପତିତ୍ୱରେ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ବିଧାୟକ ଶ୍ରୀକାନ୍ତ ସାହୁ ନିଜ ବକ୍ତବ୍ୟରେ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇ ନିଜର ଅନୁଭୂତି ପ୍ରକାଶ କରିଥିଲେ। କରୋନାର ପ୍ରଥମ ଲହର ସମୟରେ ପ୍ରବାସୀ ଓଡ଼ିଆମାନଙ୍କ ସଙ୍ଗରୋଧ କେନ୍ଦ୍ରକୁ ବିଭିନ୍ନ ସମସ୍ୟା ବୁଝିବାକୁ ଯାଇ ସେ ନିଜେ କିପରି କରୋନାରେ ଆକ୍ରାନ୍ତ ହୋଇଥିଲେ, ସେହି ବିଷୟରେ ଉଦାହରଣ ଦେଇ ସ୍ବେଚ୍ଛାସେବୀମାନେ ପରୋପକାର କରିବାକୁ ଯାଇ ବିଭିନ୍ନ ପ୍ରତିକୂଳ ସମସ୍ୟା ସହ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ରେଡକ୍ରସ ସଂଯୋଜକ ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଜ ବକ୍ତବ୍ୟରେ ବୁଝାଇଥିଲେ। ସମ୍ମାନୀତ ଅତିଥି ପ୍ରାଧ୍ୟାପକ ଲୋକନାଥ ମହାନ୍ତି ସ୍ବେଚ୍ଛାସେବୀମାନଙ୍କ ଗୁଣ ଓ କାର୍ଯ୍ୟ କିପରି ରହିବା ଆବଶ୍ୟକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ପିପୁଲସ କଲେଜ ଯୁବ ରେଡକ୍ରସ କାଉନସିଲର ପ୍ରଫେସର ବିନୋଦ କୁମାର କର ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରକାଶ କରିଥିବା ବେଳେ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଅକ୍ଟୋବର ୨ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ତିନିଦିନ ପାଇଁ ଅନୁଷ୍ଠିତ ଯୁବ ରେଡକ୍ରସ ପ୍ରଶିକ୍ଷଣ ଶିବିରରେ ପୋଲସରା, ମାଣିତରା ଓ ବୁଗୁଡା କଲେଜର ୩୦ ଜଣ ସ୍ବେଚ୍ଛାସେବୀ ଓ କାଉନସିଲର ଯୋଗଦେଇଥିବା ବେଳେ ପ୍ରଥମ ଦିନ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ରେଡକ୍ରସର ଇତିହାସ ଓ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ରକ୍ତଦାନ ବିଷୟରେ ଶିବିରାର୍ଥୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଶିବିରାର୍ଥୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ବୃନ୍ଦ ହରିକୃଷ୍ଣ ନାୟକ, ଅକ୍ଷୟ କୁମାର ସାହୁ, ଆତ୍ମ ପ୍ରକାଶ ନାୟକ, ଅଜୟ କୁମାର ସାହୁ, କ୍ରୀଷ୍ଣା ରାଓ ପାତ୍ର, ଭଗବାନ ସ୍ବାଇଁ, କିଶୋର ଚନ୍ଦ୍ର ପଣ୍ଡା ପ୍ରମୁଖଙ୍କ ସମେତ କଲେଜର କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ।