ପିଲାଙ୍କୁ ପାଠ ପଢାଇବାକୁ ଆସୁଛି ସ୍କୁଲ
ମୁମ୍ବାଇର ଝୁଙ୍ଗିଆ ଇଲାକାର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ସ୍କୁଲ୍ ପଢ଼ିବାକୁ ନୁହଁ ବରଂ ସ୍କୁଲ୍ ଏମାନଙ୍କୁ ପଢ଼ାଇବାକୁ ଆସିଥାଏ । “ସ୍କୁଲ୍-ଅନ୍-ହ୍ୱିଲ୍ସ’ ନାମରେ ଚାଲିଥିବା ଏହି ବସରେ ପାଠ ପଢ଼ାଯାଏ । ଏହି ସ୍କୁଲରେ ୩ ବର୍ଷରୁ ନେଇ ୧୬ ବର୍ଷ ବୟସର ପିଲା ଅଛନ୍ତି । ସକାଳ ୯ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସରେ ପାଠପଢ଼ା ଚାଲେ । ପ୍ରତି ଶ୍ରେଣୀର ପିଲାଙ୍କୁ ଦୁଇ ଘଣ୍ଟା ଲେଖାଏ ସମୟ ଦିଆଯାଏ ।
ଏହି ବସ୍-କମ୍ ସ୍କୁଲରେ ପିଲାଙ୍କ ପାଠ ପଢ଼ିବା ନିମନ୍ତେ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ ରହିଛି । ବୀଣା ସେଠ୍ ଲଶ୍କରୀ ପ୍ରଥମେ ଏହାକୁ ଆରମ୍ଭ କରିଥିଲେ । ସେ ସୋଶିଆଲ୍ ୱାର୍କରେ ମାଷ୍ଟର୍ ଡିଗ୍ରୀ ହାସଲ କରିଛନ୍ତି । ଭାରତରେ ଶିକ୍ଷାବ୍ୟବସ୍ଥା ଉପରେ କିଛି କରିବା ପାଇଁ ତାଙ୍କ ମନରେ ଆଗ୍ରହ ଥିଲା । ତେଣୁ ସେ ଏହି ପଦକ୍ଷେପ ଗ୍ରହଣ କଲେ । ପ୍ରାରମ୍ଭିକ ସମୟରେ ଅନେକ କଷ୍ଟ ଉଠାଇ ପ୍ରଥମେ ସେ ବସ୍ତି ପିଲାଙ୍କୁ ସେମାନଙ୍କ ଘରେ ପଢ଼ାଇଲେ । ପରେ “ସ୍କୁଲ୍ ଅନ୍ ହ୍ୱିଲ୍ସ’ ଆରମ୍ଭ କଲେ । ତାଙ୍କ ସଂଗଠନ ଇତିମଧ୍ୟରେ ୨,୩୫,୦୦୦ ପିଲାଙ୍କ ଭବିଷ୍ୟତ ସୁଧାରି ସାରିଲାଣି ।