ପିଲାଙ୍କୁ ସଞ୍ଚୟ କରିବାର ଅଭ୍ୟାସ

ପିଲାମାନେ ସବୁବେଳେ ତାହା ହିଁ କରିଥାନ୍ତି, ଯାହା ସେମାନେ ବଡ଼ଙ୍କ ଠାରୁ ଶିଖିଥାନ୍ତି। ପିଲାଙ୍କ ମା’ବାପା ଯେଭଳି ଅଭ୍ୟାସ ପକାନ୍ତି, ସେମାନେ ତାହା ହିଁ ଆପଣାନ୍ତି। ତେଣୁ ଛୋଟ ବୟସରେ ହିଁ ସେମାନଙ୍କୁ ଭଲ କଥା ଶିଖାଇବା ନିହାତି ଦରକାର। ଯେମିତିକି ବଡ଼ଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା, କାମକୁ ଢଙ୍ଗରେ କରିବା ଆଦି ସହିତ ଟଙ୍କା ସଞ୍ଚୟ ଆଦି ଗୁଣ ନିହାତି ଭାବେ ଶିଖାଇବା ଉଚିତ। ସେମାନଙ୍କୁ ଟଙ୍କାର ଗୁରୁତ୍ବ ବୁଝାନ୍ତୁ। ପିଲାଙ୍କଠାରେ ଏହି ଅଭ୍ୟାସ କିପରି ପକାଇବେ ଚାଲନ୍ତୁ ଜାଣିବା।
ପିଗି ବ୍ୟାଙ୍କ: ପିଲାଙ୍କୁ ଟଙ୍କାକୁ ମୂଲ୍ୟ ଦେବା ଶିଖାନ୍ତୁ। ତାଙ୍କୁ ପିଗି ବ୍ୟାଙ୍କ ଆଣି ଦିଅନ୍ତୁ। ଏଥିସହିତ ସେମାନଙ୍କୁ ସେମାନଙ୍କ ପକେଟ୍ ମନିରୁ କିଛି କିଛି ଟଙ୍କା ସଞ୍ଚୟ କରିବାର ଅଭ୍ୟାସ ପକାନ୍ତୁ। ପିଗି ବ୍ୟାଙ୍କରେ ଯେ ଯାହା ଟଙ୍କା ପକାଇବେ, ତାହା ତାଙ୍କର ହେବ ବୋଲି ପିଲାଙ୍କୁ ବୁଝାନ୍ତୁ। ସେହି ଟଙ୍କାରେ ସେ ନିଜ ମନ ପସନ୍ଦର ଜିନିଷ କିଣିପାରିବେ।
ସଞ୍ଚୟ ଆଗ୍ରହ : ପିଲାଙ୍କ ପିଗି ବ୍ୟାଙ୍କରେ ନିଜ ପକ୍ଷରୁ କିଛି କିଛି ସଞ୍ଚୟ ଅର୍ଥ ଜମା କରନ୍ତୁ। ଏଥିରେ ଟଙ୍କା ଜମା କରିବା ଦ୍ବାରା ପିଲାଙ୍କ ଆଗ୍ରହ ବଢ଼ିବ।
ଶପିଂ ଲିଷ୍ଟ ପ୍ରସ୍ତୁତ କରନ୍ତୁ: ଶପିଂ କରିବାକୁ ଯିବା ପୂର୍ବରୁ ଏକ ତାଲିକା ପ୍ରସ୍ତୁତ କରନ୍ତୁ। ପିଲାଙ୍କୁ ମଧ୍ୟ ଏପରି ତାଲିକା ପ୍ରସ୍ତୁତ କରିବା ଅଭ୍ୟାସ ପକାନ୍ତୁ। ତାଙ୍କୁ ବୁଝାନ୍ତୁ ଗୋଟିଏ ଦିନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ। ଏଥିସହିତ ସେମାନଙ୍କ ଦରକାର ଓ ଇଚ୍ଛା ମଧ୍ୟରେ ଥିବା ପ୍ରଭେଦ ବୁଝାନ୍ତୁ। ସେହିପରି ଶପିଂ ସମୟରେ ଜିଦ୍ ନ କରିବାକୁ ସେମାନଙ୍କୁ ବୁଝାନ୍ତୁ। ସେମାନେ ବୁଝିପାରିବେ ଯେ ସେମାନଙ୍କୁ କେଉଁ ଜିନିଷ ଦରକାର ଓ କେଉଁ ଜିନିଷ ପାଇଁ ସେମାନଙ୍କୁ କେତେ ଟଙ୍କା ମିଳିବ।
ଲକ୍ଷ୍ୟ ସ୍ଥିର କରନ୍ତୁ: ପିଲାଙ୍କୁ ଟଙ୍କା ସଞ୍ଚୟ କରିବା ଗୋଲ୍ ସେଟ୍ କରନ୍ତୁ। ଯଦି ସେମାନଙ୍କ ଲାଗି କୌଣସି ଖେଳନା କିଣିବାକୁ ଚାହିବେ, ତେବେ ସେମାନଙ୍କୁ ନିଜେ ଟଙ୍କା ଜମା କରିବାକୁ ପଡ଼ିବ ବୋଲି ବୁଝାନ୍ତୁ। ସେହିପରି ନିଜ ପସନ୍ଦର ଜିନିଷ ହାସଲ କରିବା ପରେ ପିଲା ଖୁସି ହୋଇଯିବେ। ଏଥିସହିତ କୌଣସି ଜିନିଷ ପାଇବା ପାଇଁ ନିଜେ ଟଙ୍କା ସଞ୍ଚୟ କରିବେ ଓ ଏହାଫଳରେ ସେମାନଙ୍କ ଉତ୍ସାହ ଓ ଆତ୍ମବିଶ୍ବାସ ବଢ଼ିଯିବ।
ନିଜ ଉପରେ ନିୟନ୍ତ୍ରଣ କରନ୍ତୁ: ବାସ୍ତବରେ ପିଲାମାନେ ନିଜ ବଡ଼ ତଥା ବାପା ମା’ଙ୍କୁ ଅନୁସରଣ କରିଥାନ୍ତି। ଏପରିସ୍ଥଳେ ଯଦି ଆପଣ ପିଲାଙ୍କ ସମ୍ମୁଖରେ ଅଧିକ ଟଙ୍କା ଖର୍ଚ୍ଚ କରିବେ, ସେମାନେ ମଧ୍ୟ ଟଙ୍କା ସଞ୍ଚୟ କରିବା ଶିଖିବେ ନାହିଁ। ତେଣୁ ଟଙ୍କା ସଞ୍ଚୟ ଅଭ୍ୟାସ ପିଲାଙ୍କୁ ଶିଖାଇବା ପୂର୍ବରୁ ନିଜେ ଟଙ୍କା ସଞ୍ଚୟ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ