ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅବସରରେ ନିର୍ଭୟା କଢି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ନିର୍ଭୟା କଢି, ମୋ ଗେହ୍ଲାଝିଅ, ଶିଶୁଶ୍ରମିକ ଦୂରୀକରଣ ପାଇଁ ଜିଲ୍ଲା ଟାସ୍କ ଫୋର୍ସ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟି ତଥା ମିଶନ୍ ବାତ୍ସଲ୍ଯ ର ସମୀକ୍ଷା ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷରେ ଅତିରିକ୍ତ ଜଦିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଲ୍ଯ ବିବାହ, କନ୍ଯା ଭୃଣହତ୍ୟା ଭଳି ଦୁଇଟି ସାମାଜିକ ସମସ୍ୟାକୁ ସମ୍ପୂର୍ଣ୍ଣ ରୂପେ ଜିଲ୍ଲାରୁ ଦୂରୀକରଣ ପାଇଁ ଜିଲ୍ଲାରେ ଦୁଇଟି ଅଭିନବ କାର୍ଯ୍ୟକ୍ରମ ନିର୍ଭୟା କଢି ଓ ମୋ ଗେହ୍ଲାଝିଅ ହାତକୁ ନିଆଯାଇଛି । ନିର୍ଭୟାକଢି କାର୍ଯ୍ୟକ୍ରମର ସଫଳତା ଆଧାରରେ ଗଞ୍ଜାମ ଜିଲ୍ଲାକୁ ବାଲ୍ଯ ବିବାହମୁକ୍ତ ଜିଲ୍ଲା ଭାବରେ ବିଗତ ଦିନରେ ଘୋଷଣା କରାଯାଇଛି । ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ କନ୍ୟା ଜନ୍ମ ବଢୁଥିବାର ସମୀକ୍ଷା ବୈଠକରୁ ଜଣା ପଡିଥିଲା । ଆଗାମୀ ଦିନରେ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଭାବରେ କରିବା ପାଇଁ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ କନ୍ୟାଭୃଣ ହତ୍ଯା ହେଉଥିବାର ପୂର୍ବ ସୂଚନା ମିଳିଲେ ସୂଚନା ଦାତାଙ୍କ ନାମ ଗୋପନ ରଖି ସୂଚନା ଦାତାଙ୍କୁ ୨୫ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବାର ମଧ୍ଯ ଘୋଷଣା କରାଯାଇଥିଲା । ଏଥିପାଇଁ ମଧ୍ଯ ଜିଲ୍ଲା ପ୍ରଶାସନ ତରଫରୁ ଏକ ମୋବାଇଲ୍ ନମ୍ବର ଯାହାକି ୯୪୩୯୯୮୫୦୦୭ ଜାରି କରାଯାଇଥିଲା । ଗତ ତିନି ମାସରେ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କଲାବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଆବେଦା ପରବୀନ୍ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଜିଲ୍ଲାରେ ବିଭିନ୍ନ ବିଭାଗର ସମନ୍ବୟରେ ଶିଶୁମାନଙ୍କର ସୁରକ୍ଷାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ଛତ୍ରପୁର ଏବଂ ବ୍ରହ୍ମପୁର ଜିଲ୍ଲାରେ ଶିଶୁ ଶ୍ରମିକ ରୋକିବା ଦିଗରେ ଶ୍ରମ ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ଯ ଅବଗତ କରାଇଥିଲେ । ନୂତନ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ପଣ୍ଡା ଏବଂ ତାଙ୍କର ସମସ୍ତ ସଦସ୍ୟ ଶିଶୁ ମାନଙ୍କର ସମସ୍ତ ଅଧିକାରକୁ ଅଗ୍ରାଧିକାର ଦେଇ କାର୍ଯ୍ୟକରିବେ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରରୁ ଆରମ୍ଭ କରି ଗ୍ରାମ ସ୍ତର ପର୍ଯ୍ୟନ୍ତ ସଠିକ୍ ନିୟମରେ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ମତବ୍ଯକ୍ତ କରିଥିଲେ । ଅଧାରୁ ପାଠ ଛାଡୁଥିବା ପିଲାମାନେ ବିଶେଷ ଭାବରେ ବାଲ୍ଯ ବିବାହର ଶିକାର ହୋଇଥାଆନ୍ତି । ତେଣୁ ସେହି ପିଲାମାନଙ୍କୁ ଚିହ୍ନଟ କରି ବିଦ୍ଯାଳୟକୁ ପୁନଃ ପଠାଇବା ପାଇଁ ଶ୍ରୀମତୀ ଖେସ୍ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟରେ କ୍ରମାଗତ ପାଞ୍ଚଦିନ ଅନୁପସ୍ଥିତ ରହିବେ ସେମାନଙ୍କ ବିଷୟରେ ତଦାରଖ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାରେ ବାଲ୍ୟ ବିବାହକୁ ନାଁ କରୁଥିବା କିଶୋର କିଶୋରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଡିବା ବିଷୟରେ ମଧ୍ଯ ବୈଠକରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ଶିଶୁଶ୍ରମିକ ଚିହ୍ନଟ ହେଉଥିବା ପିଲାମାନଙ୍କୁ ସଠିକ୍ ଭାବେ ଥଇଥାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବୈଠକରେ ଅନ୍ଯ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଜୁଡିସିଆଲ୍ ଦିପ୍ତିମୟୀ ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କଲ୍ୟାଣୀ ଦାଶ, ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଆକ୍ସନ୍ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ଅତିରିକ୍ତ ମୁଖ୍ଯ ଜିଲ୍ଲା ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଡଃ ଭି. ସରୋଜିନୀ ଦେବୀ, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସମସ୍ତ କର୍ମକର୍ତ୍ତା, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ, ଚାଇଲଡ୍ ଲାଇନ୍, କିଶୋର ନ୍ୟାୟ ବୋର୍ଡ, ସିସିଆଇ, ଜିଲ୍ଲା ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ଯ ଏବଂ ସଂପୃକ୍ତ ଅଧିକାରୀ ଗଣ ଉପସ୍ଥିତ ଥିଲେ ।