ପିଲାଙ୍କ ବୁଦ୍ଧିମତ୍ତା କମାଏ ଘରୋଇ ହିଂସା

ଘରୋଇ ହିଂସାର ଶିକାର ହେଉଥିବା ମହିଳାଙ୍କ ସନ୍ତାନମାନେ କମ୍‌ ବୁଦ୍ଧିମାନ ହୋଇଥାନ୍ତି। ସେମାନଙ୍କର ବୁଦ୍ଧିମତ୍ତା ନଷ୍ଟ ହୋଇଥାଏ। ଶିଶୁଟି ମାତୃଗର୍ଭରେ ଥିବାବେଳେ ଯଦି ମା’ଟି ଘରୋଇ ହିଂସାର ଶିକାର ହୁଏ, କିମ୍ବା ଜନ୍ମରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଇ ଗତିକରେ ତେବେ ଏଥିରେ ତା’ର ବୁଦ୍ଧିମତ୍ତା ନଷ୍ଟ ହୋଇଥାଏ। ଏହା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗବେଷକମାନେ ୩୯୯୭ ଜଣ ମା’ ଏବଂ ସେମାନଙ୍କର ଶିଶୁମାନଙ୍କ (ଗର୍ଭାବସ୍ଥାରୁ ୮ ବର୍ଷ ବୟସର ହେବା ପର୍ଯ୍ୟନ୍ତ) ଉପରେ ଅଧ୍ୟୟନ କରିଥିଲେ। ଏଥିରେ ଘରୋଇ ହିଂସା ଏବଂ ଏହାର ପ୍ରକାରକୁ ମୂଲ୍ୟାଙ୍କନ କରାଯିବା ସହିତ ପିଲାର ଆଇକ୍ୟୁର ସ୍ତରକୁ ମପାଯାଇଥିଲା। ପ୍ରତ୍ୟେକ ମା’ ଏବଂ ତାଙ୍କ ଶିଶୁମାନଙ୍କୁ ନେଇ ଲଗାତର ଅଧ୍ୟୟନ କରାଯିବା ପରେ ଗବେଷକମାନେ ଏକ ନିଷ୍କର୍ଷ ହାସଲ କରିଥିଲେ। ଅଧ୍ୟୟନରୁ ୧୭.୬ ପ୍ରତିଶତ ମା’ ମାନସିକ ଆବେଗିକ ହିଂସା ଏବଂ ୬.୮ ପ୍ରତିଶତ ଶାରୀରିକ ହିଂସାର ସୂଚନା ଦେଇଥିଲେ। କ୍ୟାଥରିନ ଏବେଲ ନାମକ ଜଣେ ଗବେଷକ କହନ୍ତି ଯେ ବାଲ୍ୟକାଳର ବୁଦ୍ଧିମତ୍ତା ବଡ଼ ହେବା ପରେ ସବୁଠୁ ଭଲ କରିବାର ଦୃଢ଼ତା ସହିତ ଯୋଡ଼ିହୁଏ। ସେ ଏହା ମଧ୍ୟ ସୂଚାଇଛନ୍ତି କି ମାତୃଗର୍ଭରେ ଥିବାବେଳେ ମା’ମାନେ ଶାରୀରିକ ଓ ମାନସିକ ହିଂସାର ଶିକାର ହେଉଥିଲେ ପିଲାଟି କ୍ରମଶଃ ନିଜର ମାନସିକ ପ୍ରଗତି ଯେଭଳି ଭାବରେ କରିପାରିବା କଥା ତାହା କରି ନ ଥାଏ। ଗବେଷଣାରୁ ଏକଥା ମଧ୍ୟ ସାମ୍ନାକୁ ଆସିଛି ଯେ ୧୩ ପ୍ରତିଶତ ଏଭଳି ମହିଳାଙ୍କ ଶିଶୁମାନେ ଆଇକ୍ୟୁରେ ୯୩ ପ୍ରତିଶତ ପଛରେ ପଡ଼ିଛନ୍ତି। ଯଦି ଗର୍ଭାବସ୍ଥା ସମୟରେ ବା ସନ୍ତାନ ଜନ୍ମର ୬ ବର୍ଷ ପର୍ଯ୍ୟନ୍ତ ମା’ ଘରୋଇ ହିଂସାର ଶିକାର ହୁଅନ୍ତି ତେବେ ସେହି ଶିଶୁର ଆଇକ୍ୟୁ ସ୍ତର ୨୨.୮ ପ୍ରତିଶତରେ ପହଞ୍ଚିଯାଏ। ତେବେ କେବଳ ଘରୋଇ ହିଂସା ନୁହେଁ, ମଦ୍ୟପାନ, ମାନସିକ ଅବସାଦ, ଅଶିକ୍ଷା ଏବଂ ପ୍ରସବ ସମୟରେ ଆର୍ଥିକ ସମସ୍ୟା କାରଣରୁ ଶିଶୁଟିର ଆଇକ୍ୟୁ ଉପରେ ପ୍ରଭାବ ପଡ଼ିଥାଏ। ମାଞ୍ଚେଷ୍ଟର ବିଶ୍ବବିଦ୍ୟାଳୟର ଗବେଷକମାନେ କହନ୍ତି ଯେ ଘରୋଇ ହିଂସା ପିଲାଙ୍କ ତିନିଗୁଣା ଆଇକ୍ୟୁକୁ ନଷ୍ଟ କରିଦେଇଥାଏ। ଦେଶରେ ପାଖାପାଖି ଏକ ତୃତୀୟାଂଶ ବିବାହିତା ମହିଳା ସେମାନଙ୍କର ସ୍ବାମୀମାନଙ୍କ ହାତରୁ ମାଡ଼ ଖାଇଥାନ୍ତି। ଗୁଜରାଟର ଏକ ବେସରକାରୀ ସଂଗଠନ ‘ସହଜ’ ଇକ୍ବେଲ ଜର୍ସ ସହ ଯୋଡ଼ିହୋଇ ଏଭଳି ଏକ ଅଧ୍ୟୟନ କରିଥିଲା। ୧୫ରୁ ୪୯ ବର୍ଷ ବୟସର ମହିଳାମାନଙ୍କ ମଧ୍ୟରୁ ପାଖାପାଖି ୨୭ ପ୍ରତିଶତ ୧୫ ବର୍ଷ ବୟସରୁ ହିଂସାକୁ ସମ୍ମୁଖୀନ କରିଥିବା ଜଣାଯାଇଛି। ଭାରତରେ ବିବାହିତ ମହିଳାଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା ପତିଙ୍କ ଦ୍ବାରା ହିଂସାର ଶିକାର ହୋଇଥାନ୍ତି ଏବଂ ଏମାନଙ୍କ ମଧ୍ୟରୁ ଅନେକଙ୍କ କହିବା କଥା ହେଉଛି, ସେମାନେ ଶାରୀରିକ ଆକ୍ରମଣ ସାଙ୍ଗକୁ ମାନସିକ ଭାବେ ବି ନିର୍ଯାତିତ ହୋଇଥାନ୍ତି। ଗୋଟିଏ ପକ୍ଷରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଅଣାଯିବା ପାଇଁ ବିଶ୍ବବ୍ୟାପୀ ପ୍ରୟାସ ଚାଲିଥିବା ବେଳେ ଏବଂ ଘରୋଇ ହିଂସାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ଆଫ୍ରିକା ମହାଦେଶର ନୂଆକସୋତ ନାମକ ଏକ ଦେଶ ରହିଛି ଯେଉଁଠି ପତ୍ନୀମାନେ ନିଜ ପତିଙ୍କଠାରୁ ମାଡ଼ ଖାଇବାକୁ ଗର୍ବର କଥା ବୋଲି ମନେକରନ୍ତି। ଯଦି କୌଣସି କାରଣରୁ ପତି ପତ୍ନୀଙ୍କୁ ମାଡ଼ ମାରିନାହାନ୍ତି, ତେବେ ପତ୍ନୀ ଧରିନେଇଥାନ୍ତି ଯେ ତାଙ୍କ ପତିଦେବ ତାଙ୍କୁ ଆଉ ଭଲ ପାଉନାହାନ୍ତି। ଦ ଷ୍ଟାର ନାମକ ଏକ ପତ୍ରିକା ୬୦ ବର୍ଷୀୟ ମହିଳା ଏଚ୍ୟୁଟୁଙ୍କ ସ୍ବାମୀ କହନ୍ତି ଆମ ଦେଶରେ ମହିଳାମାନଙ୍କୁ ପିଟିବାର ଏକ ଲମ୍ବା ପରମ୍ପରା ରହିଛି। ସେ କହନ୍ତି ଯେ ଆମେ ଆମ ପିଲାଙ୍କ ଆଗରେ କହୁ ଯେ ମା’, ମାଉସୀ, ଆଈ ଓ ପିଉସୀମାନେ କିଏ କିପରି ମାଡ଼ ଖାଇ ବଡ଼ ହୋଇଛନ୍ତି। ଗବେଷକମାନଙ୍କ ମତରେ ଏଠାକାର ମହିଳାମାନେ ତଲାକକୁ ଡରି ମାଡ଼ ଖାଇଥାନ୍ତି। ଯେଉଁ ମହିଳା ମାଡ଼କୁ ବିରୋଧ କରେ, ତାକୁ ତଲାକର ସାମ୍ନା କରିବାକୁ ପଡ଼େ। ଯଦି ପତ୍ନୀ ପତିଙ୍କୁ ଅବହେଳା କରନ୍ତି, ତେବେ ପାକିସ୍ତାନର ପତିମାନେ ନିଜ ପତ୍ନୀଙ୍କୁ ପିଟିପାରିବେ। ଏଭଳି ଏକ ବିବାଦୀୟ ସୁପାରିସ କରିଛି ପାକିସ୍ତାନର ଏକ ଧାର୍ମିକ ସଂଗଠନ। ଯଦି ପତ୍ନୀ ନିଜର ପତିଙ୍କ କଥା ନ ମାନନ୍ତି, ଯଦି ପତିର ପସନ୍ଦରେ ପୋଷାକ ନ ପିନ୍ଧନ୍ତି, ଯଦି ବୁର୍ଖାରେ ନ ରୁହନ୍ତି ବା ପତିଙ୍କ ଇଚ୍ଛାନୁସାରେ ଯୌନ ସମ୍ପର୍କ ରକ୍ଷା ନ କରନ୍ତି, ଅଜଣା ଲୋକଙ୍କ ସହ କଥା ହୁଅନ୍ତି, କିମ୍ବା ସ୍ବାମୀଙ୍କ ପରାମର୍ଶ ନ କରି ଅନ୍ୟ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରନ୍ତି, ତେବେ ପତିମାନେ ପତ୍ନୀଙ୍କୁ ମାଡ଼ ମାରିପାରିବେ ବୋଲି ଦ କାଉନସିଲ ଅଫ ଇସଲାମିକ ଆଇଡିଓଲୋଜି ନାମକ ଏକ ସଂସ୍ଥା କହିଛି। ଶାରୀରିକ ହିଂସା ମହିଳାଙ୍କ ମାନସିକ ସ୍ବାସ୍ଥ୍ୟକୁ ବିଗାଡ଼ିଦିଏ। ଏଥିରେ ପୀଡ଼ିତ ମହିଳାଙ୍କ ହୃଦ୍‌ରୋଗ ଏବଂ ରକ୍ତବାହିକା ରୋଗ ହେବାର ଅଧିକ ସମ୍ଭାବନା ଥାଏ। ଏହାଦ୍ବାରା ଶାରୀରିକ ଭାବେ ଲମ୍ବା ସମୟ ଧରି ପୀଡ଼ିତା ମହିଳା ଅସୁସ୍ଥ ରହନ୍ତି। ଯେଉଁ ମହିଳାମାନେ ଅଧିକ ଥର ଶାରୀରିକ ହିଂସାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ବେକ ପଛପଟ ରକ୍ତବାହିକା ସଙ୍କୁଚିତ ହେବାର ସମ୍ଭାବନା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ