ପିଲା ଚୋର ସନ୍ଦେହରେ ଯୁବକ ହଟହଟା
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ସାନବନସ୍ତା ଗ୍ରାମରେ ପିଲା ଚୋର ସନ୍ଦେହରେ ଜଣେ ଯୁବକ ହଟହଟା ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ମୁତାବକ ଗାଁର କୌଣସି ଏକ ସ୍ଥାନରେ ଜଣେ ଯୁବକ ମୋଟରସାଇକେଲ ଧରି ଛିଡା ହୋଇଥିଲେ । ଗ୍ରାମବାସୀ ମାନେ ଏହାକୁ ସନ୍ଦେହ କରି ଯୁବକଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇନଥିଲା । ଯୁବକଙ୍କ ପରିଚୟ ମାଗିବାରୁ ସେ ଏହାର ସନ୍ତୋଷ ଜନକ ଉତ୍ତର ଦେଇନଥିବାବେଳେ ପଳାଇଯିବାକୁ ବାହାରିଥିଲେ । ଏହାପରେ ସ୍ଥାନୀୟ ଲୋକେ ପିଲାଚୋର ସନ୍ଦେହରେ ଯୁବକଙ୍କୁ ଗୋଡେଇ ଗୋଡେଇ ଧରି ଅଟକ ରଖିଥିଲେ । ପରେ ଶହଶହ ଲୋକ ରୁଣ୍ଡ ହୋଇ ତାଙ୍କର ପରିଚୟ ମାଗିବାରୁ ସେ ଧାମନଗର ଅଞ୍ଚଳର ବୋଲି କହିଥିଲେ । ଏଠାରେ ସୂଚିତ ବର୍ତ୍ତମାନ ପିଲାଚୋର ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଥିବାବେଳେ ଗ୍ରାମାଞ୍ଚଳ ଲୋକମାନେ ଅଚିହ୍ନା ଲୋକଙ୍କୁ ଦେଖିଲେ ସନ୍ଦେହ କରିବା ସ୍ୱଭାବିକ ହୋଇପଡୁଛି । ଗତ ସପ୍ତାହରେ ସେହିଭଳି କୁଲଣା ଠାରେ ଦୁଇଜଣ ଯୁବକଙ୍କୁ ଧରି ଗ୍ରାମବାସୀ ପୁଲିସ ଜିମା ଦେଇଥିଲେ । ଏହାଛଡା ଗତକାଲି ରାତିରେ ବାରିକପୁର ଅଞ୍ଚଳରେ ଏହିଭଳି ଘଟଣା ଘଟିଥିବା ସୂଚନା ମିଳିଛି ।